ମୋହାଲି, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଟିମ୍ର ଅସଲ ରୂପ ମଙ୍ଗଳବାର ଜଣାପଡ଼ିଛି । ମୋହାଲିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୪ ୱିକେଟରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍ ସଂଗ୍ରହ କରିଥିଲା । ଜବାବରେ କଙ୍ଗାରୁ ଟିମ୍ ୪ଟି ବଲ ଥାଇ ଲକ୍ଷ୍ୟ ହାସଲ କରିଥିଲା । ଏଥି ସହିତ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି ।
ଅଷ୍ଟ୍ରେଲିଆର ଏହି ମ୍ୟାଚ ବିଜୟରେ ନାୟକ ଥିଲେ କ୍ୟାମରନ ଗ୍ରୀନ ଓ ମ୍ୟାଥୁ ୱେଡ୍, ଯେଉଁମାନେ କି ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏହି ଦୁଇ ବ୍ୟାଟରଙ୍କ ଆଗରେ ଭାରତୀୟ ବୋଲରର୍ସମାନେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଗ୍ରୀନ କେବଳ ୩୦ଟି ବଲ୍ ଖେଳି ୬୧ ରନ୍ ଓ ୱେଡ ୨୧ଟି ବଲ୍ରୁ ବ୍ୟକ୍ତିଗତ ଭାବେ ୪୫ ରନ୍ ସଂଗ୍ରହ କରିଥିଲେ । ଭାରତର ଖରାପ ବୋଲିଂରୁ ଜଣାପଡୁଛି ଯେ, ଶେଷ ୫ ଓଭରରେ ଅଷ୍ଟ୍ରେଲିଆକୁ ୬୦ ରନ୍ରୁ ଅଧିକ ରନ୍ ମିଳିଥିଲଶ । ତେଣୁ ଅତିଥି ଦଳ ମ୍ୟାଚକୁ ସହଜରେ ଜିତି ଯାଇଥିଲା ।
ଭାରତୀୟ ବୋଲରମାନେ ନିଜ ଟିମ୍ ପାଇଁ ଖଳନାୟକ ସାଜିଥିଲେ । ସେମାନେ ୨୦୮ ରନ୍କୁ ମଧ୍ୟ ସୁରକ୍ଷା ଦେଇପାରି ନଥିଲେ । ଟିମ୍ ଇଣ୍ଡିଆର ଷ୍ଟ୍ରାଇକ ବୋଲର ଭୁବନେଶ୍ୱର କୁମାର ୪ ଓଭର ବୋଲିଂ କରି ୫୨ ରନ୍ ଦେଇଥିଲେ । ତାଙ୍କୁ କୌଣସି ୱିକେଟ ମିଳି ନ ଥିଲା । ଯୁଜବେନ୍ଦ୍ର ଚହଲଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଚହଲ ୩.୨ ଓଭର ବୋଲିଂ କଲେ ଓ ୪୨ ରନ୍ ଦେଇଥିଲେ । ଦୀର୍ଘ ଦିନ ପରେ ଟିମ୍କୁ ଫେରିଥିବା ହର୍ଷଲ ପଟେଲ ୪ ଓଭର ବୋଲିଂ କରି ୪୯ ରନ୍ ଦେଇଥିଲେ । କେବଳ ଅକ୍ଷର ପଟେଲଙ୍କ ପ୍ରଦର୍ଶନ ଭଲ ଥିଲା, ଯିଏକି ୪ ଓଭର ବୋଲିଂ କରି ୧୭ ରନ୍ ଦେବା ସହିତ ୩ଟି ୱିକେଟ ନେଇଥିଲେ ।