ଡବଲିନ୍, ଜୁନ୍ ୨୯ (ଖବର ଓଡ଼ିଶା): ଟିମ୍ ଇଣ୍ଡିଆ ମଙ୍ଗଳବାର ଆୟରଲାଣ୍ଡକୁ ତା’ର ମାଟିରେ ୪ ରନ୍ରେ ପରାସ୍ତ କରିଛି । ଭାରତୀୟ ଟିମ୍ ୨ ମ୍ୟାଚର ଶୃଙ୍ଖଳାକୁ ୨-୦ରେ ଜିତିଛି । ଉଭୟ ମ୍ୟାଚ ରାଜଧାନୀ ଡବଲିନସ୍ଥିତ ଦ ଭିଲେଜ ଷ୍ଟାଡିୟମ୍ରେ ଖେଳାଯାଇଥିଲା । ପୂର୍ବରୁ ଗତ ୨୬ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୭ ୱିକେଟ୍ରେ ଜିତିଥିଲା ।
ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହା ପରେ ଦୀପକ ହୁଡ୍ଡା ୫୫ଟି ବଲ୍ରେ ଶତକ ମାରିଥିଲେ । ସେ ମୋଟ ୫୭ଟି ବଲ୍ ଖେଳି ୧୦୪ ରନ୍ କରିଥିଲେ । ଏଥିରେ ୬ଟି ଛକା ଓ ୯ଟି ଚୌକା ସାମିଲ ଥିଲା । ଏହା ବ୍ୟତୀତ ସଂଜୁ ସାମସନ ୪୨ଟି ବଲ୍ ଖେଳି ୭୭ ରନ୍ କରିଥିଲେ । ଏଥିରେ ୪ଟି ଛକା ଓ ୯ଟି ଚୌକା ସାମିଲ ଥିଲା । ଫଳରେ ଭାରତ ୭ ୱିକେଟ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲା ।
ଆୟରଲାଣ୍ଡ ୨୨୬ ରନ୍ର ବିଜୟ ଲକ୍ଷ୍ୟ ନେଇ ଆରମ୍ଭରୁ ଭଲ ଖେଳିଥିଲା । ଦଳ ୫ଟି ୱିକେଟ ହରାଇ ୨୨୧ ରନ୍ ସଂଗ୍ରହ କରିଥିଲା । ପଲ ଷ୍ଟର୍ଲିଂଗ ଓ ଆଣ୍ଡ୍ର୍ୟୁ ବଲବର୍ନୀ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ପାଇଁ ଏହି ୨ ଖେଳାଳି ୭୨ ରନ୍ କରିଥିଲେ । ଆୟରଲାଣ୍ଡ ୭୩ ରନ୍ରେ ୨ୟ ଓ ୧୧୭ ରନ୍ରେ ୩ୟ ୱିକେଟ ହରାଇଥିଲା । ଦଳର ଖେଳାଳିମାନେ ସଂଘର୍ଷ କରିଥିଲେ । ବଲବର୍ନୀ ୩୭ଟି ବଲ୍ ଖେଳି ୬୦ ରନ୍ ସଂଗ୍ରହ କରିଥିଲେ । ଏଥିରେ ସେ ୩ଟି ଚୌକା ଓ ୭ଟି ଛକା ମାରିଥିଲେ । ଭାରତ ପାଇଁ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଶ୍ନୋୟୀ ଓ ଉମ୍ରାନ ମଲ୍ଲିକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।