ବେଙ୍ଗାଲୁରୁ, ଜୁନ୍ ୧୯ (ଖବର ଓଡ଼ିଶା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଇଥିବା ଟି-୨୦ ମ୍ୟାଚ ଉପରେ କ୍ରିକେଟପ୍ରେମୀଙ୍କ ନଜର ଥିଲା । କାରଣ ଏହି ମ୍ୟାଚରୁ ଶୃଙ୍ଖଳାର ବିଜେତା ନିର୍ଦ୍ଧାରିତ ହେବାର ଥିଲା । କିନ୍ତୁ ବର୍ଷା ଯୋଗୁଁ ଶେଷରେ ମ୍ୟାଚକୁ ରଦ୍ଦ କରିବାକୁ ପଡ଼ିଥିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ୨-୨ ସ୍କୋର ସହିତ ଡ୍ର ହୋଇଛି ।
ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଏହି ମ୍ୟାଚ ସନ୍ଧ୍ୟା ୭ଟାରେ ଖେଳାଯିବାର ଥିଲା । ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । କିନ୍ତୁ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ଆସିଥିଲା । ଫଳରେ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା ଓ ମ୍ୟାଚକୁ ଉଭୟ ପକ୍ଷରୁ ୧୯-୧୯ ଓଭର କରିଦିଆଯାଇଥିଲା । ଏହି ମ୍ୟାଚରେ କେବଳ ୩.୩ ଓଭର ବୋଲିଂ ହୋଇପାରିଥିଲା । ଟିମ୍ ଇଣ୍ଡିଆର ସ୍କୋର ୨ ୱିକେଟରେ ୨୮ ରନ୍ ହୋଇଥିଲା । ଏହା ପରେ ପୁଣି ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଜାରି ରହିବାରୁ ମ୍ୟାଚକୁ ଶେଷରେ ବାତିଲ କରାଯାଇଥିଲା । ଈଶାନ କିଶନ ୭ଟି ବଲ୍ ଖେଳି ୧୫ ରନ୍ କରିଥିଲେ । ଏଥିରେ ସେ ୨ଟି ଛକା ମାରିଥିଲେ । ସେହିଭଳି ଋତୁରାଜ ଗାଏକ୍ୱାର୍ଡ ୧୨ଟି ବଲ୍ ସାମ୍ନାକରି ୧୦ ରନ୍ କରିଥିଲେ । ଶ୍ରେୟସ ଆୟର ଓ ଅଧିନାୟକ ଋଷଭ ପନ୍ତ ଗୋଟିଏ ବଲ୍ ଲେଖାଏଁ ସାମ୍ନାକରିଥିଲେ । ପୂର୍ବରୁ ଶୃଙ୍ଖଳା ୨-୨ରେ ଥିବାରୁ ଉଭୟ ଦଳ ଜିିତିବା ପାଇଁ ଲକ୍ଷ୍ୟ ରଖିଥିଲେ । ସୂଚନାଯୋଗ୍ୟ, ଭାରତ ପ୍ରଥମ ୨ଟି ମ୍ୟାଚ (ନୂଆଦିଲ୍ଲୀ ଓ କଟକ)ରେ ଯଥାକ୍ରମେ ୭ ଓ ୪ ୱିକେଟରେ ପରାସ୍ତ ହୋଇଥିଲା । କିନ୍ତୁ ବିଶାଖାପାଟଣା ଓ ରାଜକୋଟରେ ଯଥାକ୍ରମେ ୪୮ ଓ ୮୨ ରନ୍ରେ ମ୍ୟାଚ ଜିତିଥିଲା ।