ମୁମ୍ବାଇ, ମେ ୧୦ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୫୬ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦମଦାର ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନ୍ରେ ପରାସ୍ତ କରିଛି । ମୁମ୍ବାଇର ଡ. ଡିୱାଇ ପାଟିଲ ଷ୍ଟାଡିୟମ୍ରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୧୬୫ ରନ୍ ସଂଗ୍ରହ କରିଥିଲା । ମୁମ୍ବାଇ ଏହି ମ୍ୟାଚ୍ ଜିତିବ ବୋଲି ପ୍ରଶଂସକମାନେ ଆଶା କରୁଥିଲେ । କିନ୍ତୁ କୋଲକାତାର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ମୁମ୍ବାଇ ୧୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୩ ରନ୍ରେ ଅଟକି ଯାଇଥିଲା ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ୧୬୬ ରନ୍ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା । ଟିମ୍ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ଅଧିନାୟକ ରୋହିତ ମାତ୍ର ୨ ରନ୍ କରିଥିଲେ । ଈଷନ କିଶନ ଓ ତିଲକ ବର୍ମା ୨ୟ ୱିକେଟ ପାଇଁ ୩୦ ରନ୍ର ଭାଗିଦାରୀ ହୋଇପାରିଥିଲେ । ମୁମ୍ବାଇ ୬୯ ରନ୍ ବେଳକୁ ରମନଦୀପ ସିଂହ ଓ ୮୩ ରନ୍ରେ ଟିମ୍ ଡାଭିଡଙ୍କୁ ହରାଇଥିଲା । ଇଷନ କିଶନ ଅର୍ଦ୍ଧଶତକ (୫୧ ରନ୍) ହାସଲ କରିଥିଲେ । ସେ ୪୩ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । କୋଲକାତା ଶେଷ ୬ୱିକେଟ ନେବା ପାଇଁ ମାତ୍ର ୧୩ ରନ୍ ଖର୍ଚ୍ଚ କରିଥିଲା ।
କୋଲକାତାର ସମସ୍ତ ବୋଲର ଭଲ ବୋଲିଂ କରିଥିଲେ । ପେଟ କମିନ୍ସ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଆନ୍ଦ୍ରେ ରସେଲ ୨ଟି, ଟିମ୍ ସାଉଦୀ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଭେଙ୍କଟେସ୍ ଆୟର ଓ ନୀତିଶ ରାଣା ୪୩-୪୩ ରନ୍ ବଳରେ କୋଲକାତା ୧୬୫ ରନ୍ ସଂଗ୍ରହ କରିଥିଲା ।