ନୂଆଦିଲ୍ଲୀ, ଜୁନ୍ ୨୭ (ଖବର ଓଡ଼ିଶା): ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ଟି-୨୦ରେ ଅଧିନାୟକ ଭାବେ ପଦାର୍ପଣ କରିଛନ୍ତି । ତାଙ୍କର ନେତୃତ୍ୱରେ ଟିମ୍ ଇଣ୍ଡିଆ ରବିବାର ଆୟରଲାଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରିଛି । ଏହି ମ୍ୟାଚରେ ହାର୍ଦ୍ଦିକ ଭଲ ବୋଲିଂ ଓ ବ୍ୟାଟିଂ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାବେ ଏକ ବଡ଼ ରେକର୍ଡ କରିଛନ୍ତି, ଯାହାକି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲି କରିପାରି ନଥିଲେ ।
ବର୍ଲିନରେ ଖେଲାଯାଇଥିବା ୨ ମ୍ୟାଚ ବିଶିଷ୍ଟ ପ୍ରଥମ ମୁକାବିଲାରେ ଆୟରଲାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ସେ ଦ୍ୱିତୀୟ ଓଭର ବୋଲିଂ କରିଥିଲେ । ଏଥିରେ ସେ ୧୩ ରନ୍ ଖର୍ଚ୍ଚ କରିଥିଲେ । କିନ୍ତୁ ଏହି ଓଭରରେ ସେ ଆୟରଲାଣ୍ଡର ବିସ୍ଫୋରକ ବ୍ୟାଟର ପଲ ଷ୍ଟର୍ଲିଙ୍ଗକୁ ଆଉଟ୍ କରିଥିଲେ । ଏଥି ସହିତ ପାଣ୍ଡ୍ୟା ଟି-୨୦ କ୍ରିକଟେରେ ଭାରତ ତରଫରୁ ୱିକେଟ ନେଇଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଯାଇଛନ୍ତି ।
ବର୍ଷା ଯୋଗୁଁ ମ୍ୟାଚ୍କୁ ଉଭୟ ପକ୍ଷରୁ ୧୨-୧୨ ଓଭର କରି ଦିଆଯାଇଥିଲା । ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ଟି ୱିକେଟ ହରାଇ ୧୦୮ ରନ୍ କରିଥିଲା । ଜବାବରେ ଭାରତ ୯.୩ ଓଭରରେ ୩ଟି ୱିକେଟ ହରାଇ ୧୧୧ ରନ୍ ସଂଗ୍ରହ କରି ମ୍ୟାଚ ଜିତିଥିଲା । ଦ ଭିଲେଜ ଷ୍ଟାଡିୟମରେ ହୋଇଥିବା ମୁକାବିଲାରେ ଦୀପକ ହୁଡ୍ଡା ବ୍ୟକ୍ତିଗତ ଭାବେ ଅପରାଜିତ ୪୭ ରନ୍ ସଂଗ୍ରହ କରିଥିଲେ । ସେ ୨୯ଟି ବଲ୍ ସାମ୍ନା କରି ୬ଟି ଚୌକା ଓ ୨ଟି ଚୌକା ମାରିଥିଲେ । ଈଶାନ କିଶନ ୧୧ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୨୬ ରନ୍ କରିଥିଲେ । କିନ୍ତୁ ଯୁବ କ୍ରିକେଟର ସୂର୍ଯ୍ୟକୁମାର ଗୋଟିଏ ବଲ୍ ଖେଳି ପାଭଲିଅନ ଫେରିଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡା ୧୨ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୨୪ ରନ୍ କରିଥିଲେ । ଦିନେଶ କାର୍ତ୍ତିକଙ୍କ ବ୍ୟାଟରୁ ୫ ରନ୍ ମିଳିଥିଲା ।