ମୁମ୍ବାଇ, ମେ ୧୭ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୪ତମ ମ୍ୟାଚ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୭ ରନ୍ରେ ଜିତି ନେଇଛି । ସ୍ଥାନୀୟ ଡି ୱାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମ୍ରେ ପଂଜାବ କିଙ୍ଗ୍ ଟସ୍ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ଜବାବରେ ପଂଜାବ ୯ ୱିକେଟ୍ ହରାଇ ୧୪୨ ରନ୍ରେ ଅଟକି ଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ରେ ଶ୍ରେଷ୍ଠ ୪ଟି ଟିମ୍ରେ ସାମିଲ ହୋଇଥିବା ବେଳେ ପଂଜାବ କିଙ୍ଗ୍ସ ୭ମ ସ୍ଥାନରେ ଅଛି । ତେଣୁ ପଂଜାବ ପ୍ଲେଅଫ୍ରୁ ବାହାରି ଯିବା ଆଶା ଅଧିକ ଦେଖାଯାଉଛି । ପଂଜାବ ୨୨ ତାରିଖରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ମୁକାବିଲା କରିବ ।
ଦିଲ୍ଲୀର ବିଜୟରେ ବୋଲରମାନେ ବଡ଼ ଭୂମିକା ନେଇଥିଲେ । ସେମାନେ ପଂଜାବକୁ ଲକ୍ଷ୍ୟରେ ପହଞ୍ଚିବାକୁ ସୁଯୋଗ ଦେଇ ନଥିଲେ । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କୁ ୨-୨ ୱିକେଟ ମିଳିଥିଲା । ଅନରିଚ ନୋର୍ଟଜେ ଗୋଟିଏ ୱିକେଟ୍ ନେଇଥିଲେ । ପୂର୍ବରୁ ବ୍ୟାଟିଂ ପାଳିରେ ମିଚେଲ ମାର୍ସ ଦଳ ପାଇଁ ସର୍ବାଧକ ୬୩ ରନ୍ ସଂଗ୍ରହ କରିଥିଲେ ।
ପଂଜାବ ପାଇଁ ଜୀତେଶ ଶର୍ମା ସର୍ବାଧିକ ୪୪ ରନ୍ ସଂଗ୍ରହ କରିଥିଲେ । ସେ ୩୪ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ଏହି ରନ୍ କରିଥିଲେ । ଜନି ବେୟାରଷ୍ଟୋ ୨୮ ରନ୍, ରାହୁଲ ଚହର ଅପରାଜିତ ୨୫ ରନ୍ ଓ ଶିଖର ଧୱନ ୧୯ ରନ୍ କରିଥିଲେ । ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।