ନୂଆଦିଲ୍ଲୀ, ଅଗଷ୍ଟ ୦୭ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ୍ ଟିମ୍ ଶନିବାର ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଟି-୨୦କୁ ୫୯ ରନ୍ରେ ବିଜୟୀ ହୋଇଛି । ଏହି ବିଜୟର ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ୩-୧ରେ ଶୃଙ୍ଖଳାରେ ଅଗ୍ରଣୀ ରହିଛି । ଏବେ ଉଭୟ ଟିମ୍ର ୫ମ ତଥା ଶେଷ ମୁକାବିଲା ଫ୍ଲୋରିଡାର ଲାଉଡରହିଲସ୍ଥିତ ସେଣ୍ଟ୍ରାଲ ବ୍ରୋବାର୍ଡ ପାର୍କରେ ଅଗଷ୍ଟ ୭ ତାରିଖ (ରବିବାର) ଖେଳାଯିବ ।
୪ର୍ଥ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଠାରୁ ବଡ଼ ଇନିଂ ଆଶା ଥିଲା । କିନ୍ତୁ ସେ ଭଲ ବ୍ୟାଟିଂ କରିଥିଲେ ବି ଅର୍ଦ୍ଧଶତକ କରିପାରି ନଥିଲେ । ରୋହିତ ୧୬ଟି ବଲ୍ ଖେଳି ୩୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ୨ଟି ଚୌକା ଓ ୩ଟି ଛକା ମଧ୍ୟ ସାମିଲ ଥିଲା । ରୋହିତ ଛୋଟ ପାଳି ଖେଳିଥିଲେ ବି ଏକ ବଡ଼ ରେକର୍ଡ କରିଛନ୍ତି ।
ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାମଲାରେ ୨ୟ ସ୍ଥାନରେ ପହଞ୍ଚିଛନ୍ତି । ସେ ଏହି ମାମଲାରେ ପାକିସ୍ତାର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ରୋହିତ ଶର୍ମାଙ୍କ ନାମରେ ଏବେ ଏହି ଇନିଂସ ପରେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୦୯ଟି ମ୍ୟାଚରେ ୪୭୭ ଛକା ହୋଇଛି । ଶାହିଦ ଆଫ୍ରିଦୀ ୫୨୪ଟି ମ୍ୟାଚରେ ୪୭୬ ଛକା ମାରିଥିଲେ । ଅନ୍ତର୍ଜାତୀୟ କ୍ରିକେର୍ଟରେ କ୍ରିସ ଗେଲ ସର୍ବାଧିକ ୫୫୩ଟି ଛକା ମାରିଛନ୍ତି । ଏଥି ସହିତ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବିପକ୍ଷରେ ୪ର୍ଥ ଟି-୨୦ରେ ୩୬ ରନ୍ ସଂଗ୍ରହ କରିବା ପରେ ୧୬ ହଜାର ରନ ପୂରଣ କରିଛନ୍ତି । ଏହା ପୂର୍ବରୁ ଭାରତର ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିନ, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହୱାଗ, ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲି ୧୬ ହଜାର ରନ ପୂରା କରିଛନ୍ତି ।