ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କୁ ବଡ଼ ଦାୟିତ୍ୱ ମିଳିଛି । ଉତ୍ତରାଖଣ୍ଡ ସରକାର ତାଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ପୁଷ୍କର ସିଂହ ଗୁରୁବାର ନୂଆଦିଲ୍ଲୀରେ ଉତ୍ତରାଖଣ୍ଡ ସଦନରେ ଋଷଭ ପନ୍ତଙ୍କୁ ସମ୍ମାନିତ କରିବେ । ସୂଚନାଯୋଗ୍ୟ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ପୂର୍ବରୁ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଥିଲେ ।
ପୁଷ୍କର ସିଂହ ଧାମୀ ଟୁଇଟକରି ଲେଖିଛନ୍ତି ଯେ, ରାଜ୍ୟ ସରକାର ଦେବଭୂମିର ସୁପୁତ୍ର ଏବଂ ଭାରତୀୟ କ୍ରିକେଟ ଟିମ୍ର ପ୍ରତିଭାବାନ ଖେଳାଳି ଋଷଭ ପନ୍ତଙ୍କୁ ଉତ୍ତରାଖଣ୍ଡର ଯୁବଗୋଷ୍ଠୀଙ୍କୁ କ୍ରୀଡା ଏବଂ ଜନ ସ୍ୱାସ୍ଥ୍ୟ ପ୍ରତି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ‘ରାଜ୍ୟ ବ୍ରାଣ୍ଡ ଆମ୍ବାସଡର’ ନିଯୁକ୍ତ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମୀ କହିଛନ୍ତି ।