ରାୟପୁର: ରାୟପୁରରେ ଖେଳା ଯାଇଥିବା ହାଇସ୍କୋରିଂ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବାଜିମାତ୍ କରିଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଏହା ସହିତ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ ବରାବର କରିଛି। ରାୟପୁରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ହାରି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା। ବିରାଟ କୋହଲି ଏବଂ ଋତୁରାଜ ଗାୟକୱାଡଙ୍କ ଶତକ ବଳରେ ୩୫୮ ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଶେଷ ଓଭରରେ ୪ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଛି। ଆଡନ ମାରକ୍ରମ ୧୧୦ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ମାଥ୍ୟୁ ବ୍ରିଟଜକେ ୬୮ ରନ ଓ ଡିଓ୍ଵାର୍ଲ୍ଡ ବ୍ରେଭିସ ୫୪ ରନର ମ୍ୟାଚ୍ ବିଜୟୀ ରନ କରିଛନ୍ତି।
ଏହା ଭାରତୀୟ ମାଟିରେ କୌଣସି ବିଦେଶୀ ଦଳ ଦ୍ୱାରା ପିଛା କରାଯାଇଥିବା ସର୍ବାଧିକ ଦିନିକିଆ ସ୍କୋର। ପୂର୍ବରୁ ଅଷ୍ଟ୍ରେଲିଆ ମଧ୍ୟ ଭାରତରେ ରେକର୍ଡ ୩୫୯ ରନ୍ର ପିଛା କରିଥିଲା। ୨୦୧୯ରେ ଭାରତ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା କଙ୍ଗାରୁ। ଏବେ, ଦକ୍ଷିଣ ଆଫ୍ରିକା ୩୫୯ ରନ୍ର ପିଛା କରି ଅଷ୍ଟ୍ରେଲିଆର ରେକର୍ଡ୍ର ସମକକ୍ଷ ହୋଇଛି।
ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା(୧୪ ରନ) ଏବଂ ଯଶସ୍ୱୀ ଜୟସ୍ୱାଲ(୨୨ ରନ) ଉଭୟ ଶସ୍ତାରେ ଆଉଟ୍ ହୋଇଥିଲେ। ଏହା ପରେ କୋହଲି ଏବଂ ଋତୁରାଜ ଦମଦାର ବ୍ୟାଟିଂ କରିଥିଲେ। ଦୁହେଁ ତୃତୀୟ ୱିକେଟ ପାଇଁ ୧୯୫ ରନର ଭାଗୀଦାରି କରି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଋତୁରାଜ ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ, ଆଉଟ ହେବା ପୂର୍ବରୁ ୧୦୫ ରନ କରିଥିଲେ। ଏହା ପରେ କୋହଲି ନିଜର ୫୩ତମ ଦିନିକିଆ ଶତକ ହାସଲ କରିଥିଲେ। ବିରାଟ କୋହଲି ମ୍ୟାଚରେ ୧୦୨ ରନ କରିଥିଲେ। ଏହା ପରେ କେଏଲ ରାହୁଲ ଏବଂ ଜାଡେଜା ଶେଷ ଓଭରରେ ଦ୍ରୁତ ବ୍ୟାଟିଂ କରି ଭାରତକୁ ୩୫୦ ଅତିକ୍ରମ କରାଇଥିଲେ। ରାହୁଲ ୬୬ ରନ କରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ମାର୍କୋ ଜାନସେନ ଦୁଇଟି ୱିକେଟ ନେଇଥିଲେ, ଯେତେବେଳେ ନାନ୍ଦ୍ରା ବର୍ଗର ଏବଂ ଲୁଙ୍ଗି ଏନଗିଡି ପ୍ରତ୍ୟେକ ଗୋଟିଏ ୱିକେଟ ନେଇଥିଲେ।
୩୫୯ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଆଫ୍ରିକୀୟ ଦଳର ଆରମ୍ଭ ଭଲ ନଥିଲା। ଦଳ ପ୍ରଥମ ଓ୍ଵିକେଟ୍ ୨୬ ରନରେ ହରାଇଥିଲା। କ୍ୱିଣ୍ଟନ୍ ଡି କକ୍ ୧୧ ବଲରୁ ୮ ରନ କରି ଆଉଟ ହେଲେ। ଏହା ପରେ ତେମ୍ବା ବାଭୁମା ଏବଂ ଆଡନ ମାରକ୍ରମଙ୍କ ମଧ୍ୟରେ ୧୦୧ ରନର ଭାଗୀଦାରି ହୋଇଥିଲା। ବାଭୁମା ୪୮ ବଲରୁ ୪୬ ରନ କରି ଅର୍ଦ୍ଧଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପାଇଁ ଓପନର୍ ଆଡନ୍ ମାରକ୍ରମ ଶତକ ହାସଲ କରିଥିଲେ। ସେ ୯୮ ବଲରୁ ୧୧୦ ରନ କରିଥିଲେ। ଏହା ପରେ ମାଥ୍ୟୁ ବ୍ରିଟଜକେ ଏବଂ ଡିୱାଲ୍ଡ ବ୍ରେଭିସ୍ ଚମତ୍କାର ବ୍ୟାଟିଂ କରିଥିଲେ, ଯାହା ଫଳରେ ଆଫ୍ରିକୀୟ ଦଳ ପାଇଁ ରନ ପିଛା କରିବା ସହଜ ହୋଇଥିଲା। ବ୍ରେଭିସ ୫୪ ଏବଂ ବ୍ରିଟଜକେ ୬୮ ରନ କରିଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ପାଇଁ କର୍ବିନ୍ ବୋଶ୍ ଅବଶିଷ୍ଟ ରନ କରିଥିଲେ। ବୋଶ୍ ୧୫ ବଲରୁ ୨୬ ରନ କରି ଅପରାଜିତ ରହିଥିଲେ।
Also read: T-20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ପାଣ୍ଡ୍ୟା ଓ ଗିଲ୍