ଇନ୍ଦୋର, ଫେବୃଆରୀ ୨୧ (ଖବର ଓଡ଼ିଶା):
ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଚତ୍ମକାର ପ୍ରର୍ଦଶନ କରିବା ସହ ତାମିଲନାଡୁ ଟିମକୁ ଟ୍ରଫି ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ ଶାହାରୁଖ ଖାନ । ତେବେ ୨୫ ବର୍ଷିୀୟ ଏହି ଅଲରାଉଣ୍ଡରଙ୍କ ସଫଳତା ପରେ ଆଗାମୀ ଆଇପିଏଲ ନିମନ୍ତେ ପଂଜାବ କିଙ୍ଗସ ତାଙ୍କୁ ୫.୨୫ କୋଟି ଟଙ୍କାରେ କିଣିଛି । ବିଜୟ ହଜାରେ ଟ୍ରଫି ନିମନ୍ତେ ଅଭ୍ୟାସ ସାରି ତାମିଲନାଡୁ ଟିମ ବସରେ ଫେରୁଥିବା ବେଳେ ଆଇପିଏଲ ନିଲାମରେ ଶାହାରୁଖ ଖାନଙ୍କ ନାମ ଆସିଥିଲା । ତାଙ୍କୁ ପଂଜାବ ୫.୨୫ କୋଟି ଟଙ୍କାରେ କିଣିବା ପରେ ଅଧିନାୟକ ଦିନେଶ କାର୍ତ୍ତିକ ଏବଂ ଅନ୍ୟ ସାଥୀ ଖେଳାଳି ତାଙ୍କୁ କୃତଜ୍ଞତା ଜଣାଇଥିଲେ । ତେବେ ନିଜ ପ୍ରତିକ୍ରିୟାରେ ଶାହାରୁଖ ଖାନ କହିଛନ୍ତି ଆଇପିଏଲରେ ଏତେ ଟଙ୍କାରେ ତାଙ୍କୁ କୌଣସି ଦଳ କିଣିବ ବୋଲି ସେ କେବେ ଭାବିନଥିଲେ । ଏହା ସହ ୟୁନିଭର୍ସ ବସ ତଥା କିଙ୍ଗସ ଏକାଦଶ ପଂଜାବ ଦଳର ଓପନର କ୍ରିସ ଗେଲଙ୍କ ସହ ଭେଟିବାକୁ ଏବଂ ତାଙ୍କ ସହ ଡ୍ରେସିଙ୍ଗ ରୁମ ସେୟାର କରିବାକୁ ସେ ବ୍ୟଗ୍ର ଥିବା କହିଛନ୍ତି । ଗେଲ ଅତି ସହଜରେ ବଲକୁ କିପରି ବାଉଣ୍ଡରୀ ବାହାରକୁ ପଂହାଂଚାଇ ଦିଅନ୍ତି ତାହା ଶିଖିବାକୁ ଚେଷ୍ଟା କରିବେ ବୋଲି ଶାଖାରୁଖ ଖାନ କହିଛନ୍ତି । ଗତ କାଲି ଶାହାରୁଖ ଖାନ ବିଜୟ ହଜାରେ ଟ୍ରଫିରେ ପଂଜାବ ବିପକ୍ଷରେ ୩୬ ବଲରୁ ଅପରାଜିତ ୫୫ ରନ କରିବା ସହ ଦଳକୁ ଜିତାଇଛନ୍ତି ।