ନୂଆଦିଲ୍ଲୀ: ଆଡିଲେଡର ଓଭାଲରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପିଙ୍କ ବଲ୍ ଟେଷ୍ଟ । ଏହା ପୂର୍ବରୁ ଆଜି ଭାରତୀୟ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରୋହିତ ଏହି ସମୟରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଓପନିଂକୁ ନେଇ ଲାଗି ରହିଥିବା ସସପେନ୍ସ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଭାରତୀୟ ଅଧିନାୟକ । କେଏଲ ରାହୁଲ ଯଶସ୍ୱୀ ଜୟସ୍ୱାଲଙ୍କ ସହ ଓପନିଂ କରିବେ ଏବଂ ନିଜେ ସେ ମଧ୍ୟକ୍ରମରେ ବ୍ୟାଟିଂ କରିବେ ।
ରୋହିତ କହିଛନ୍ତି, ପର୍ଥରେ କେଏଲ ରାହୁଲ ଯେଭଳି ବ୍ୟାଟିଂ କଲେ, ମୁଁ ଘରେ ନବଜାତ ଶିଶୁକୁ କୋଳରେ ଧରି ମ୍ୟାଚ୍ ଦେଖୁଥିଲି । ସେ ବହୁତ ଦମଦାର ବ୍ୟାଟିଂ କଲେ । ତେଣୂୁ ଏଥିରେ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ । ଭବିଷ୍ୟତରେ କିଛି ପରିବର୍ତ୍ତନ ଘଟିପାରେ । କିନ୍ତୁ ବିଦେଶ ମାଟିରେ କେଏଲ ରାହୁଲ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ଏଥିପାଇଁ ସେ ଓପନିଂର ହକଦାର ।
ରୋହିତ କହିଛନ୍ତି ଗତ ଥର ଆଡିଲେଡରେ ଯେଉଁ ପରିଣାମ ମିଳିଥିଲା ତାକୁ ବଦଳାଇବା ଉପରେ ଆମର ନଜର ରହିବ । ପ୍ରେସ କନଫରେନ୍ସରେ ରୋହିତ ଯୁବ ଖେଳାଳିଙ୍କ ପ୍ରଶଂସା କରି କହିଛନ୍ତି ଯେ, ପ୍ରତ୍ୟେକ ଖେଳାଳି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଏବଂ ନିଜଠୁ ଦଳକୁ ଆଗରେ ରଖିଛନ୍ତି ।
ରୋହିତ କହିଛନ୍ତି, ଜୟସ୍ୱାଲ, ପନ୍ତ, ଗିଲ ଭିନ୍ନ ପିଢିର ଖେଳାଳି । ଯେବେ ଆମେ ପ୍ରଥମ ଥର ଅଷ୍ଟ୍ରେଲିଆ ଆସିଥିଲୁ, ଆମେ କେମିତି ରନ କରିବୁ ସେହି ବିଷୟରେ ଚିନ୍ତା କରୁଥିଲୁ । ମାତ୍ର ଏମାନେ ମ୍ୟାଚ୍ ଜିତିବା ବିଷୟରେ ଚିନ୍ତା କରୁଛନ୍ତି । ସେମାନଙ୍କ ମ୍ୟାଚ୍ ଜିତିବା ଉପରେ ପ୍ରାଥମିକତା ରହୁଛି । ସେମାନେ ଏହା ଚିନ୍ତା କରୁ ନାହାନ୍ତି ଯେ, ଶତକ ମାରିବି ନା ଦ୍ୱିତଶକ ମାରିବି । ସେମାନେ କେବଳ ଏହା ଚିନ୍ତା କରୁଛନ୍ତି ଯେ, ମ୍ୟାଚ୍ କେମିତି ଜିତିବା ।