ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆରେ ବ୍ୟାଟର ଏବଂ ବୋଲରଙ୍କ ସଦ୍ୟତମ ମାନ୍ୟତା ଜାରି କରିଛି। ବ୍ୟାଟର ମାନ୍ୟତାରେ ଭାରତର ଷ୍ଟାର ବ୍ୟାଟର ଶୁଭମନ ଗିଲଙ୍କ ଶୀର୍ଷ ସ୍ଥାନ ବଳବତ୍ତର ରହିଛି। ଦିନିକିଆ ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପୂର୍ବତନ ପାକିସ୍ତାନ ଅଧିନାୟକ ବାବର ଆଜମ ତୃତୀୟ ସ୍ଥାନରେ ଥିବା ବେଳେ ଭାରତର ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି। ବୋଲରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ଏବଂ ଶ୍ରୀଲଙ୍କାର ମହିଷ ତିକ୍ଷଣ ମିଳିତ ଭାବରେ ନମ୍ବର-୧ ଅଛନ୍ତି। ଉଭୟଙ୍କ ରେଟିଂ ପଏଣ୍ଟ ୬୪୧ ଅଛି। ତଥାପି କେଶବ ମହାରାଜଙ୍କ ନାମ ଟପ୍-୧୦ ତାଲିକାରେ ପ୍ରଥମ ସ୍ଥାନରେ ଅଛି।
ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜ୍ ପରେ ଆଇସିଦି ଦିନିକିଆ ମାନ୍ୟତା ଜାରି କରିଛି। ନ୍ୟୁଜିଲ୍ୟାଣ୍ଡର ଡାରିଲ୍ ମିଚେଲ୍ ବ୍ୟାଟର ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଅଛନ୍ତି। ସଦ୍ୟତମ ରାଙ୍କିଙ୍ଗରେ ଜଣେ ବି ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନ୍ ଟପ୍-୧୦ରେ ନାହାନ୍ତି। ଟ୍ରେଭିସ୍ ହେଡ୍ ୧୧ ନମ୍ବର ସ୍ଥାନରେ ଅଛନ୍ତି।
ଶୁଭମନ ଗିଲ୍ ୭୮୪ ରେଟିଂ ପଏଣ୍ଟ ସହିତ ନମ୍ବର-୧ରେ ଅଛନ୍ତି। ରୋହିତ ଶର୍ମା ୭୫୬ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ, ପାକିସ୍ତାନର ବାବର ଆଜମ ୭୩୯ ରେଟିଂ ପଏଣ୍ଟ ସହିତ ଶୀର୍ଷ ତିନିରେ ଅଛନ୍ତି। କିଙ୍ଗ କୋହଲିଙ୍କ ୭୩୬ ପଏଣ୍ଟ ଅଛି। ଭାରତୀୟ ଦଳ ଗତ କିଛି ମାସ ଧରି ଦିନିକିଆ କ୍ରିକେଟ୍ ଖେଳିନାହିଁ। କିନ୍ତୁ ବୋଲରଙ୍କ ପାଇଁ ସଦ୍ୟତମ ଦିନିକିଆ ରାଙ୍କିଙ୍ଗରେ କୁଲଦୀପ ଯାଦବ (୬୫୦) ଏବଂ ରବୀନ୍ଦ୍ର ଜାଡେଜା (୬୧୬) ଏପର୍ଯ୍ୟନ୍ତ ଯଥାକ୍ରମେ ତୃତୀୟ ଏବଂ ନବମ ସ୍ଥାନରେ ରହିଛନ୍ତି।
ରୋହିତ ଏବଂ କୋହଲି ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଉଭୟ ଦିନିକିଆରେ ଖେଳିବା ଜାରି ରଖିବେ। ରୋହିତ ଏବଂ କୋହଲି ଉଭୟ ଶେଷ ଥର ପାଇଁ ଫେବୃଆରୀ ୨୦୨୫ରେ ସଂଯୁକ୍ତ ଆରବ ଏମିରେଟ୍ସରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ଏକ ଦିନିକିଆ ଖେଳିଥିଲେ। ଭାରତର ଚାମ୍ପିଅନ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ମୁକାବିଲାରେ ଶତକ ହାସଲ କରିଥିବା ତିନି ବ୍ୟାଟର ଟ୍ରେଭିସ୍ ହେଡ୍ (୧୪୨), ମିଚେଲ୍ ମାର୍ଶ (୧୦୦) ଏବଂ କାମେରନ୍ ଗ୍ରୀନ୍ (୧୧୮ ଅପରାଜିତ) ଶତକ ହାସଲ କରିଥିଲେ। ଏହି ପ୍ରଦର୍ଶନ ଯୋଗୁଁ ଏହି ତିନି ବ୍ୟାଟରଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ହେଡ୍ ଗୋଟିଏ ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ, ମାର୍ଶ ଚାରି ସ୍ଥାନ ଉପରକୁ ଉଠି ୪୪ତମ ସ୍ଥାନରେ ଏବଂ ଗ୍ରୀନ୍ ୪୦ ସ୍ଥାନ ଉପରକୁ ଉଠି ୭୮ତମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ଅଷ୍ଟ୍ରେଲୀୟ ସାଥୀ ଜୋଶ୍ ଇଙ୍ଗଲିସ୍ ମଧ୍ୟ ତାଲିକାରେ ସ୍ଥାନ ପାଇଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୨୩ ସ୍ଥାନ ଉପରକୁ ଉଠି ୬୪ତମ ସ୍ଥାନରେ ପହଞ୍ଚିଛନ୍ତି।
Also read: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବିଡ୍ ଲଗାଇବ ଭାରତ, ଅହମ୍ମଦାବାଦ ନାଁରେ ବାଜିଲା ମୋହର