ଦୀର୍ଘ ଦେଢ ବର୍ଷ ପରେ କ୍ରିକେଟ ମଇଦାନକୁ ଫେରିଲେ ଋଷଭ ପନ୍ତ। ଏକ ଭୟାନକ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ କ୍ରିକେଟରୁ ଦୂରେଇ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଆଜି ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିବା ମାତ୍ରେ ଦର୍ଶକମାନେ ଛିଡ଼ା ହୋଇ କର ତାଳି ଦେଇ ରିଷଭ ଙ୍କୁ ସ୍ୱାଗତ କରିଥିଲେ। ଏହି ସମୟର ପନ୍ତଙ୍କ ଫ୍ୟାନଙ୍କ ସମେତ ସମସ୍ତ କ୍ରିକେଟ ପ୍ରେମୀ ବେଶ୍ ଭାବବିହ୍ୱଳ ହୋଇଯାଇଥିଲେ।
ଆଇପିଏଲ୍ ୨୦୨୪ର ଆଜି ଦ୍ୱିତୀୟ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ । ଆଉ ଏହି ମ୍ୟାଚ୍ ସହିତ ଦୀର୍ଘ ୧୫ ମାସ ପରେ କୌଣସି ଟକ୍କର ଦେବାଭଳି ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ଋଷଭ ପନ୍ତ।
ଆଜି ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ୱିକେଟ୍ ପଡ଼ିବା ପରେ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ନବମ ଓଭରରେ ଡାଭିଡ ୱାର୍ଣ୍ଣର ଆଉଟ୍ ହୋଇଥିଲେ। ସେତେବେଳେକୁ ଦଳର ସ୍କୋର ୭୪ରେ ପହଞ୍ଚିଥିଲା। ଡାଭିଡ ୱାର୍ଣ୍ଣର ୨୯ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଅଧିନାୟକ ଋଷଭ ପନ୍ତ ୧୩ଟି ବଲ୍ରୁ ୧୮ ରନ୍ କରିଥିଲେ। ତା’ ମଧ୍ୟରେ ୨ଟି ଚୌକା ଥିଲା।ତେବେ ହର୍ଷଲ ପଟେଲଙ୍କ ବଲ୍ରେ ଜନ୍ନୀ ବେୟାରଷ୍ଟୋଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ପନ୍ତ। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା।