କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଡିସେମ୍ବର ୯ରୁ ଆରମ୍ଭ ହେବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଓଡିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଏଥର ଷ୍ଟାଡିୟମରେ ସିଟ୍ ସଂଖ୍ୟା କମିବ । ପାଖାପାଖି ୩ ହଜାର ସିଟ୍ କମୁଥିବା ଶୁକ୍ରବାର ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା ।
ସେ କହିଛନ୍ତି, ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ବାରବାଟୀରେ ସିଟ୍ ଥିଲା ୪୪ ହଜାର ୫୦୦ । ଏବେ ୩ ହଜାର ସିଟ୍ କମିବା ପରେ କାଉଣ୍ଟରେ କେତେ ଟିକେଟ୍ ବିକ୍ରି ହେବ ଏବଂ ପାସ୍ ପାଇଁ କେତେ ଟିକେଟ୍ ଦିଆଯିବ ସେ ନେଇ ଏ ଯାଏଁ ନିଷ୍ପତ୍ତି ହୋଇ ନ ଥିବା ସଂପାଦକ କହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ବସି ଖେଳ ଦେଖିବାରୁ ବଞ୍ଚିତ ହେବେ ସେମାନଙ୍କ ପାଇଁ ଷ୍ଟାଡିୟମ ବାହାରେ ବଡ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ ।
ଏହା ବାଦ୍ ଯେମିତି ମ୍ୟାଚରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ନେଇ ସତର୍କ ଓସିଏ । କାରଣ ଚଳିତ ବର୍ଷ ଫେବୃଆରୀ ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ଦିନିକିଆରେ ଫ୍ଲଡଲାଇଟ ବନ୍ଦ ହୋଇ ଯାଇଥିଲା । ତେଣୁ ଏଥର ଯେମିତି ଫ୍ଲଡଲାଇଟ ବନ୍ଦ ହେବ ସେଥିପାଇଁ ବାରବାଟୀ ଷ୍ଟାଡିୟମରେ ଲାଗିବ ୧୮ଟି ଡିଜି । ଏହା ସହିତ ନୂଆଢଙ୍ଗରେ ଫ୍ଲଡଲାଇଟ୍ ଲଗାଯାଉଛି । ଦର୍ଶକଙ୍କ ସୁରକ୍ଷା ପାଇଁ ଗ୍ୟାଲେରୀ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।
ସୂଚନାଯୋଗ୍ୟ, ଭାରତ ବାରବାଟୀରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳି ସାରିଛି । ଆଉ ଏହି ଦୁଇଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିଲା । ଆଉ ତୃତୀୟ ଟି-୨୦ ସେହି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ ।
Also read: ଇମୋସନାଲ ହେବା କୋଚ୍ ପାଇଁ ଠିକ୍ ନୁହେଁ, ଗମ୍ଭୀରଙ୍କୁ ନେଇ ଡିଭିଲିୟର୍ସଙ୍କ ବଡ ବୟାନ