ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟି-୨୦ ବିଶ୍ବକପ୍-୨୦୨୪ର ଚାମ୍ପିଅନ୍ ଭାରତୀୟ ପୁରୁଷ ଟିମ୍ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀର ୭ ଲୋକ୍ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ନିବାସରେ ନରେନ୍ଦ୍ର ମୋଦୀଙ୍କୁ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆର ବିଶ୍ବ ବିଜୟୀ ଟିମ୍ ଭେଟିଛନ୍ତି। ମୋଦୀ ଓ ଖେଳାଳିଙ୍କର ଏହି ଭେଟ ନିଆରା ହୋଇଛି।
ବିଶ୍ବକପ ଜିତିଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗତ ଶନିବାର ଭିଡିଓ ବାର୍ତ୍ତା ଜାରି କରିଥିଲେ, ସେ କହିଥିଲେ, ଭାରତୀୟ କ୍ରିକେଟ୍ ଟିମ୍ର ଏହି ସଫଳତାରେ ବହୁତ ବଡ଼ ଖୁସି ଅନୁଭବ ହେଉଛି। ଆମେ ଚାମ୍ପିଅନ୍। ଆମେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଗର୍ବିତ। ଏହି ମ୍ୟାଚ୍ ଏକ ଐତିହାସିକ ଥିଲା। ଏହି ମହାନ ବିଜୟ ପାଇଁ ସମସ୍ତ ଦେଶବାସୀଙ୍କ ତରଫରୁ ଭାରତୀୟ ଟିମ୍କୁ ଅଭିନନ୍ଦନ। ଆଜି ୧୪୦ କୋଟି ଦେଶବାସୀ ଆପଣଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗର୍ବ ଅନୁଭବ କରୁଛନ୍ତି। ଆପଣ କ୍ରୀଡ଼ା କ୍ଷେତ୍ରରେ ବିଶ୍ବକପ ଜିତିଲେ। କିନ୍ତୁ ଭାରତର ପ୍ରତ୍ୟେକ ଗାଁ, ଗଳି ଓ ସ୍ଥାନୀୟ ଅଞ୍ଚଳର ଲକ୍ଷଲକ୍ଷ ଲୋକଙ୍କର ହୃଦୟ ଜିତିଛନ୍ତି। ସେହିପରି ମୋଦୀ ଗତ ରବିବାର ଭାରତୀୟ ଖେଳାଳିମାନଙ୍କ ସହିତ ଫୋନ୍ରେ କଥା ହୋଇଥିଲେ।
ଭାରତୀୟ ଟିମ୍ ଟି-୨୦ ବିଶ୍ବକପ୍ ଟ୍ରଫି ଜିତିବା ପରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ୩୦ରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ଅବସରରେ ଦିଲ୍ଲୀ ବିମାନବନ୍ଦର ବାହାରେ ପ୍ରଶଂସକଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ଭାରତୀୟ ଟିମ୍କୁ ସ୍ବାଗତ କରିବାକୁ ଚାହିଁଥିଲେ। ଏପରିକି ହଜାର ହଜାର ପ୍ରଶଂସକ ରାତିସାରା ଉଜାଗର ରହି ଦିଲ୍ଲୀ ବିମାନବନ୍ଦର ସାମ୍ନାରେ ଅପେକ୍ଷା କରିଥିଲେ। ଭାରତୀୟ ଖେଳାଳିମାନେ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରି ନଥିଲେ।
ବିମାନବନ୍ଦରରୁ ଖେଳାଳିମାନେ ଆଇଟିସି ମୌର୍ଯ୍ୟ ହୋଟେଲକୁ ଯାଇଥିଲେ। ହୋଟେଲରେ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥି ପାଇଁ ଏକ ସ୍ବତନ୍ତ୍ର ଡିଜାଇନରେ କେକ୍ କଟା ଯାଇଥିଲା। ଏହି କେକ୍ ଟିମ୍ ଇଣ୍ଡିଆର ଜର୍ସ ଭଳି କରାଯାଇଥିଲା। ହୋଟେଲ ତରଫରୁ ଖେଳାଳିମାନଙ୍କ ପାଇଁ ସ୍ବତନ୍ତ୍ର ମେନୁ ସହ ପ୍ରାତଃ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହା ପରେ ଖେଳାଳିମାନେ ୨ଟି ବସ୍ରେ ପ୍ରଧାନମନ୍ତ୍ରୀଙ୍କ ନିବାସକୁ ଯାଇଥିଲେ।
ମୋଦୀଙ୍କ ସହିତ ସାକ୍ଷାତ କାର୍ଯ୍ୟକ୍ରମ ଶେଷର ଟିମ୍ ମୁମ୍ବାଇ ଅଭିମୁଖେ ଏକ ସ୍ବତନ୍ତ୍ର ବିମାନରେ ବାହାରିବେ। ସେଠାରେ ନାରୀମନ ପଏଣ୍ଟରୁ ୱାଙ୍ଖେଡେ ଷ୍ଟାଡିୟମ ଯିବେ। ଏହି ଅବସରରେ ଏକ ରୋଡ ଶୋ’ର ଆୟୋଜନ ହେବ। ଶେଷର ୱାଙ୍ଖେଡେ ଷ୍ଟାଡିୟମରେ ବିଜୟ ପରେଡ ଆୟାଜନ ହେବ ବୋଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଂପାଦକ ଜୟ ଶାହ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍ ଇତିହାସ ରଚିଛି। ଭାରତୀୟ ଟିମ୍ ଟି-୨୦ ବିଶ୍ବକପ୍ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଶନିବାର (ଜୁନ୍୨୯) ୭ ରନ୍ରେ ପରାସ୍ତ କରିଛି। ଏକ ରୋମାଞ୍ଚକର ମୁକାବିଲାରେ ଭାରତୀୟ ଟିମ୍ ବିଜୟ ହାସଲ କରି ୧୪୦ କୋଟି ଭାରତୀୟଙ୍କ ହୃଦୟ ଜିତି ପାରିଛନ୍ତି।