ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ର ଉଦଘାଟନୀ ମ୍ୟାଚରେ ପାକିସ୍ତାନ ହାରୁ ହାରୁ ମ୍ୟାଚ୍ ଜିତି ଯାଇଛି । ଆଉ ଜିତିବା ମ୍ୟାଚରୁ ହାତଛଡା କରିଛି ନେଦରଲାଣ୍ଡ । ୧୪୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଏକଦା ଖରାପ ସ୍ଥିତିରେ ଥିଲା । ଦଳ ୧୮ ଓଭରରେ ୭ ୱିକେଟ୍ ୧୧୯ ରନ କରିଥିଲା । ଦଳକୁ ଦୁଇ ଓଭରରେ ଜିତିବା ପାଇଁ ଦରକାର ଥିଲା ୨୯ ରନ । ଯେଉଁଭଳି ଭାବେ ପାକିସ୍ତାନ ବ୍ୟାଟିଂ କରୁଥିଲା, ଏହା ଦେଖି ଲାଗୁଥିଲା ନେଦରଲାଣ୍ଡ ପ୍ରଥମ ମ୍ୟାଚରେ ହିଁ ବଡ ବିପର୍ଯ୍ୟୟ ସୃଷ୍ଟି କରିବ ।
ମାତ୍ର ୧୯ତମ ଓଭରରେ କାହାଣୀ ବଦଲାଇଥିଲେ ଫହୀମ ଅଶ୍ରଫ । ସେ ତିନି ଛକା ସହ ୨୪ ରନ ସଂଗ୍ରହ କରିଥିଲେ । କିନ୍ତୁ ୧୯ତମ ଓଭରରେ ଫହୀମଙ୍କ କ୍ୟାଚ୍ ହାତଛଡା କରିଥିଲେ ନେଦରଲାଣ୍ଡ ଖେଳାଳି । ଆଉ ହାରୁ ହାରୁ ମ୍ୟାଚ୍ ଜିତି ଯାଇଥିଲା ପାକିସ୍ତାନ । ଏହି କାରଣରୁ ନେଦରଲାଣ୍ଡ ଖେଳାଳି ମ୍ୟାଚ୍ ପରେ କହିଛନ୍ତି, ପାକିସ୍ତାନ ଜିତି ନାହିଁ, ଆମେ ନିଜେ ହାରିଗଲୁ ।
ନେଦରଲାଣ୍ଡର ଦ୍ରୁତ ବୋଲର ୱେନ ମିକରେନ କହିଛନ୍ତି, ତାଙ୍କ ଦଳ ପାକିସ୍ତାନ ବିପକ୍ଷରେ ନିଜର ଖରାପ ପ୍ରଦର୍ଶନ ପାଇଁ ହାରିଲୁ । ବିରୋଧୀ ଦଳ ମ୍ୟାଚ୍ ଜିତି ନାହିଁ ବରଂ ଆମେ ହାରିଗଲୁ । ଏହି ଦ୍ରୁତ ବୋଲର କହିଛନ୍ତି, ମ୍ୟାଚରେ ଅଧିକାଂଶ ସମୟ ନେଦରଲାଣ୍ଡର ପ୍ରଦର୍ଶନ ଉନ୍ନତ ଥିଲା । ମାତ୍ର ଆବଶ୍ୟକସ୍ଥଳେ ଦଳ ଭଲ ଶେଷ କରି ପାରି ନ ଥିଲା ।
ୱେନ ମିକେରେନ କହିଛନ୍ତି, ଆମେ ଏହି ମ୍ୟାଚ୍ ଜିତିବାର ହଦକାର ଥିଲୁ । ବୋଧହୁଏ ପାକିସ୍ତାନକୁ ପ୍ରଥମ ମ୍ୟାଚରେ ହିଁ ଘରକୁ ପଠାଇ ଦେବାର ଥିଲା । କିନ୍ତୁ ଦୁଃଖର କଥା ଆମେ ଜିତି ପାରିଲୁ ନାହିଁ । ଯାହା ହେବା କଥା ଘଟିଗଲା । କିନ୍ତୁ ଡ୍ରେସିଂ ରୁମରେ ଖେଳାଳି ନିରାଶ ଅଛନ୍ତି । କିନ୍ତୁ ଆମେ ପରସ୍ପରକୁ ସମର୍ଥନ କରି ଆଗକୁ ବଢିବୁ । ପୂରା ଦଳକୁ ସମର୍ଥନ ଦେବୁ ।
Also read: ସୂର୍ଯ୍ୟଙ୍କ ୮୪ ରନ ପରେ ବୋଲରଙ୍କ ଜଲଓ୍ଵା, ଆମେରିକାକୁ ହରାଇ ଭାରତର ଅଭିଯାନ ଆରମ୍ଭ