ମୁମ୍ବାଇ: ଭାରତ ଏକ ବଡ଼ ବିଜୟ ସହିତ ବିଶ୍ଵକପ୍ ଅଭିଯାନ ଆରମ୍ଭ କରିଛି। ଟିମ୍ ଇଣ୍ଡିଆ ୨୯ ରନରେ ଆମେରିକାକୁ ପରାସ୍ତ କରିଛି। ପ୍ରଥମେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଇନିଂସ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଏହି ବିଜୟ ହାସଲ କରିଛି। ୨୦୨୬ ଟି-୨୦ ବିଶ୍ଵକପର ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୬୧ ରନ୍ କରିଥିଲା। ଜବାବରେ, ଆମେରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୩୨ ରନ୍ କରିପାରିଥିଲା। ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଆମେରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକୀୟ ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ବଡ଼ ସଟ୍ ମାରିବାରୁ ଦେଇ ନ ଥିଲେ। ଅଭିଷେକ ଶର୍ମା ଏବଂ ଶିବମ୍ ଦୁବେ ସେମାନଙ୍କର ଖାତା ମଧ୍ୟ ଖୋଲିପାରି ନଥିଲେ। ତିଲକ ବର୍ମା ୨୫ ଏବଂ ଇଶାନ୍ କିଶାନ୍ ୨୦ ରନ୍ କରିଥିଲେ, କିନ୍ତୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୮୪ ରନ୍ ର ଅପରାଜିତ ଇନିଂସ ଖେଳିଥିଲେ। ସେ ୪୯ ବଲରେ ଏହି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଯଦି ଅଧିନାୟକ ସୂର୍ଯ୍ୟ ଭଲ ପ୍ରଦର୍ଶନ କରି ନ ଥାଆନ୍ତେ, ତେବେ ଟିମ୍ ଇଣ୍ଡିଆ ୧୩୦-୧୪୦ ସ୍କୋରରେ ସୀମିତ ହୋଇଥାଆନ୍ତା।
ଆମେରିକା ଦଳ ପାଇଁ, ଶାଡଲି ଭାନ୍ ଶାଲକୱିକ୍ ଦମଦାର ବୋଲିଂ କରିଥିଲେ। ସେ ଗୋଟିଏ ଓଭରରେ ଇଶାନ କିଶନ, ତିଲକ ବର୍ମା ଏବଂ ଶିବମ ଦୁବେଙ୍କୁ ଆଉଟ୍ କରିଥିଲେ। ସେ ୪ ଓଭରରେ ୨୫ ରନ ଦେଇ ମୋଟ ୪ ୱିକେଟ୍ ନେଇଥିଲେ। ହରମିତ୍ ସିଂହ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ।
ଜବାବରେ ଆମେରିକା ୧୩୨ ରନରେ ସୀମିତ ରହିଛି। ଦଳ ପକ୍ଷରୁ ମିଲିନ୍ଦ କୁମାର ୩୪ ରନ, ସଞ୍ଜୟ କ୍ରିଷ୍ଣାମୂର୍ତ୍ତି ଓ ଶୁଭମ ରଞ୍ଜନେ ପ୍ରତ୍ୟେକ ୩୭ ରନ କରିଛନ୍ତି। ତଥାପି ଏହା ଆମେରିକା ପାଇଁ ପର୍ଯ୍ୟାପ୍ତ ନ ଥିଲା। ଦଳ ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲା।
ଭାରତର ପ୍ରଥମ ବିଜୟ
ଏହା ୨୦୨୬ ଟି ୨୦ ବିଶ୍ଵକପରେ ଭାରତୀୟ ଦଳର ପ୍ରଥମ ବିଜୟ। ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ପୂର୍ବରୁ ନିଜ ନିଜ ମ୍ୟାଚ୍ ଜିତିସାରିଛନ୍ତି। ଭାରତ ପାଇଁ ମହମ୍ମଦ ସିରାଜ ସବୁଠାରୁ ସଫଳ ବୋଲର ଥିଲେ। ୪ ଓଭରରେ ମାତ୍ର ୨୯ ରନ ଦେଇ ୩ ୱିକେଟ୍ ନେଇଥିଲେ। ଆହତ ହର୍ଷିତ ରାଣାଙ୍କ ସ୍ଥାନରେ ସିରାଜଙ୍କୁ ଦଳରେ ସୁଯୋଗ ମିଳି ଥିଲା। ଆଉ ସେ ଏହାକୁ ସଠିକ୍ ସାବ୍ୟସ୍ତ କରିଛନ୍ତି।
ତାଙ୍କ ବ୍ୟତୀତ, ଅର୍ଶଦୀପ ସିଂହ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି। ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ସବୁଠାରୁ ମହଙ୍ଗା ପ୍ରମାଣିତ ହୋଇ୪ ଓଭରରେ ୩୪ ରନ ଦେଇଥିଲେ।
Also read: ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜେତା ଭାରତୀୟ ଦଳକୁ ୭.୫ କୋଟି ଟଙ୍କା ଦେବ ବିସିସିଆଇ