ପାକିସ୍ତାନର ଦ୍ରୁତ ବୋଲର ନସିମ ଶାହାଙ୍କୁ ଦ ହଣ୍ଡ୍ରେଡ଼ର ଆଗାମୀ ସଂସ୍କରଣରେ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଏନଓସି(ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ) ଦେବାକୁ ମନା କରିଛନ୍ତି । ତେବେ ଦ ହଣ୍ଡ୍ରେଡ଼ ୨୩ ଜୁଲାଇରୁ ଆରମ୍ଭ ହେବ। ୨୦୨୪ ର ଦ ହଣ୍ଡ୍ରେଡ଼ ସଂସ୍କରଣରେ ବର୍ମିଂଘମ ଫିନିକ୍ସ ନସିମ ଶାହାଙ୍କୁ ଦଳରେ ସ୍ଥାନ ଦେଇଥିଲେ । ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚରେ ବର୍ମିଂଘମ ଫିନିକ୍ସ କେନିଙ୍ଗଟନ୍ ଓଭାଲରେ ଓଭାଲ ଇନଭିନ୍ସିବଲ୍ସଙ୍କୁ ଭେଟିବ । କିନ୍ତୁ ଟୁର୍ନାମେଣ୍ଟରେ ଭାଗିଦାରୀତା ପାଇଁ ମନା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।
ସୂଚନା ଅନୁଯାୟୀ, ଅଗଷ୍ଟ ଓ ଅକ୍ଟୋବରରେ ବାଂଲାଦେଶ ଏବଂ ଇଂଲଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ମ୍ୟାଚ ପାଇଁ ପିସିବି ଦ୍ରୁତ ବୋଲରଙ୍କୁ ଫିଟ୍ ରଖିବାକୁ ଚାହୁଁଛି। ଖେଳାଳିଙ୍କୁ ସୁସ୍ଥ ରଖିବା ପାଇଁ ନସିମ ଶାହାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ନସିମ ଶାହା ପାକିସ୍ତାନ ପାଇଁ କ୍ରିକେଟର ତିନୋଟି ଫର୍ମାଟରେ ଖେଳନ୍ତି । କିଛି ଦିନ ପାଇଁ ନସିମ ଶାହାଙ୍କ ଫିଟନେସକୁ ନେଇ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।
ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ଜେସନ ଗିଲିସ୍ପି ନିକଟରେ ସୂଚାଇ ଦେଇଛନ୍ତି ଯେ ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦି ତାଙ୍କର ପ୍ରଥମ ସନ୍ତାନର ଜନ୍ମ ହେତୁ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରୁ ବାଦ ପଡିପାରନ୍ତି। ଶାହିନଙ୍କ ଅନୁପସ୍ଥିତିରେ ଦଳକୁ ନସିମ ଶାହାଙ୍କ ଆବଶ୍ୟକତା ରହିବ । ଗତ ବର୍ଷ ଭାରତ ବିପକ୍ଷ ଏସିଆ କପ ମ୍ୟାଚ ସମୟରେ ନସିମ ଆହତ ହୋଇଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟ ବୋର୍ଡ ନସିମ ଶାହାଙ୍କୁ ଏନଓସି(ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ) ଦେବାକୁ ମନା କରିଛନ୍ତି ।