ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଏସିଆ କପ୍ ବିଜୟର ଶୁଭେଚ୍ଛା ଜଣାଇଛନ୍ତି । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଫାଇନାଲରେ ଭାରତ ଧମାକାଦାର ବିଜୟ ହାସଲ କରିଛି । ପିଏମ ମୋଦୀ ଏହି ବିଜୟକୁ କ୍ରୀଡାର ମଇଦାନରେ ଅପରେସନ ସିନ୍ଦୂର ଦର୍ଶାଇଛନ୍ତି । ସେ କହିଛନ୍ତି, କ୍ରୀଡାର ମଇଦାନରେ ଅପରେସନ ସିନ୍ଦୂର, ପରିଣାମ ପୁଣି ସମାନ, ଭାରତ ଜିତିଲା. ଆମର କ୍ରିକେଟରଙ୍କୁ ଅଭିନନ୍ଦନ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଶାହ ଲେଖିଛନ୍ତି ଏକ ଅଦ୍ଭୁତ ବିଜୟ । ଆମର ପିଲାମାନେ ଜବରଦସ୍ତ ଉର୍ଜାର ସହ ପ୍ରତିଦ୍ୱନ୍ଦ୍ୱୀକୁ ପୁଣି ଥରେ ଧୂଳି ଚଟାଇଛନ୍ତି । ଭାରତର ଜିତିବା ନିଶ୍ଚିତ ଥିଲା, ସେ ଯେ କୌଣସି ମଇଦାନ ହେଉ ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟିମ୍ ଇଣ୍ଡିଆକୁ ଏସିଆ କପ ବିଜୟର ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ଏସିଆ କପ୍ ଜିତିବା ନେଇ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ । ନୂଆ ଭାରତ କମାଲ କରୁଛି ।
ଯୁଦ୍ଧ ମଇଦାନ ପରେ କ୍ରିକେଟ୍ ମଇଦାନରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇ ଏସିଆ କପ୍ ଚାମ୍ପିଅନ ହୋଇଛି ଭାରତ । ଆଉ ଭାରତକୁ ବିଜୟ ତିଳକ ପିନ୍ଧାଇଛନ୍ତି ତିଳକ ବର୍ମା । ଏହି ବାମହାତୀ ବ୍ୟାଟରଙ୍କ ସ୍ମରଣୀୟ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଭାରତକୁ ବିଜୟୀ କରାଇଛନ୍ତି । ଭାରତ ନବମ ଥର ଏସିଆ କପ୍ ଟାଇଟଲ୍ ଜିତିଥିବା ବେଳେ ଶେଷ ପର୍ଯ୍ୟନ୍ତ ଲଢି ଧୂଳି ଚାଟିଛି ପାକିସ୍ତାନ ।
ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୪୬ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତ ୧୯.୪ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି । ତିଳକ ବର୍ମା ୬୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଶିବମ ଦୁବେ ୩୩ ରନ ଓ ସଞ୍ଜୁ ସାମସନ ୨୪ ରନ କରିଥିଲେ । ଭାରତ ବିଜୟରେ ତିଳକଙ୍କ ସହ କୁଲଦୀପ ଯାଦବ ୪ ୱିକେଟ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।