ନୂଆଦିଲ୍ଲୀ: ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆହତ ହେବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ବାକି ଦୁଇଟି ଦିନିକିଆ ମ୍ୟାଚରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଆୟୁଷ ବାଦୋନିଙ୍କୁ ସ୍ଥାନ ମିଳିଛି । ତେବେ ବାଦୋନିଙ୍କୁ ଦଳରେ ସ୍ଥାନ ମିଳିବା ନେଇ ଅନେକ ପ୍ରଶ୍ନ ଉଠୁଛି । କ୍ରିକେଟ୍ ସମୀକ୍ଷକଙ୍କଠୁ ନେଇ ସାଧାରଣ କ୍ରିକେଟ୍ ପ୍ରେମୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହାକୁ ନେଇ ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା ପ୍ରଶ୍ନ ଉଠାଇଛନ୍ତି ।
ସେ ପ୍ରଶ୍ନ କରିଛନ୍ତି ଯେ, ଟିମ୍ ପରିଚାଳନା ଓ ବିସିିସିଆଇର ଚୟନ କମିଟି ମଧ୍ୟରେ ସମନ୍ୱୟ ନାହିଁ ? କଣ ଦଳର ଅଧିନାୟକ ଶୁଭମନ ଗିଲ୍ ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଯୋଡି ଏବଂ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ମଧ୍ୟରେ କଣ ଭିନ୍ନ ଚିନ୍ତାଧାରା ରହୁଛି ? ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ କେନ୍ଦ୍ରରେ ରଖି ଏହି ପ୍ରଶ୍ନ ପଚାରାଯିବା ଉଚିତ୍ ।
ଆକାଶ ଚୋପ୍ରା କହିଛନ୍ତି ୨୨ ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ ଟିମ୍ ଇଣ୍ଡିଆର ପ୍ରାୟ ସବୁ ଦଳରେ ସାମିଲ୍ କରାଯାଉଛି । ମାତ୍ର ବଡ ମୁସ୍କିଲରେ ନୀତିଶ ରେଡ୍ଡୀଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନି ମିଳୁଛି । ଯଦି ସୁଯୋଗ ଦିଆଯାଉଛି ତେବେ ତାଙ୍କର ପୂରା କ୍ଷମତାର ବ୍ୟବହାର କରିବାକୁ ଦିଆଯାଉ ନାହିଁ ।
ଆକାଶ ଚୋପ୍ରା ଏକ୍ସରେ ନିଜର ଭିଡିଓ ସେୟାର କରି କହିଛନ୍ତି, କଣ ଚୟନକର୍ତ୍ତା ଓ କୋଚିଂ ଷ୍ଟାଫଙ୍କ ମଧ୍ୟରେ ତାଳମେଳ ନାହିଁ ? ମୁଁ ବୁଝି ପାରୁନି ନୀତିଶ କୁମାର ରେଡ୍ଡୀଙ୍କୁ ନେଇ କଣ ଚାଲିଛି ? ପ୍ରତିଟି ଫର୍ମାଟରେ ତାଙ୍କୁ ସାମିଲ୍ କରାଯାଉଛି । ଯଦି ଖେଳା ଯାଉଛି ତେବେ ବ୍ୟାଟିଂ କରିବାକୁ ଦିଆଯାଉନି ଏବଂ ବୋଲିଂ ବହୁତ କମ ମିଳୁଛି । ତେବେ ତାଙ୍କୁ ଦଳରେ କାହିଁକି ଚୟନ କରାଯାଉଛି ବୋଲି ଆକାଶ ଚୋପ୍ରା ପ୍ରଶ୍ନ କରିଛନ୍ତି ।
ଯେବେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ଖେଳି ନ ପାରନ୍ତି ତେବେ ନୀତିଶ କୁମାର ଦଳ ପାଇଁ ଭଲ ବିକଳ୍ପ । ସେ ଦଳର ସଂଯୋଜନା ପାଇଁ ଫିଟ୍ । କିନ୍ତୁ ତାଙ୍କୁ ନେଇ ଦଳରେ କୌଣସି ସ୍ପଷ୍ଟତା ନାହିଁ । ଲାଗୁଛି ଚୟନ କମିଟି ଓ କୋଚିଂ ଷ୍ଟାଫ ମଧ୍ୟରେ ସମନ୍ୱୟ ନାହିଁ ।
Also read: ମୁସ୍ତାଫିଜୁର ରେହମାନଙ୍କୁ ବିସିସିଆଇ ଦେଲା ଆଇପିଏଲ୍ ୨୦୨୬ରେ ପ୍ରତ୍ୟାବର୍ତ୍ତନର ଅଫର ? ନିରବତା ଭାଙ୍ଗିଲା ବାଂଲାଦେଶ