ଦୁବାଇ: ଅବିଶ୍ୱସନୀୟ, ଅବର୍ଣ୍ଣନୀୟ । ଯୁଦ୍ଧ ମଇଦାନ ପରେ କ୍ରିକେଟ୍ ମଇଦାନରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇ ଏସିଆ କପ୍ ଚାମ୍ପିଅନ ହୋଇଛି ଭାରତ । ଆଉ ଭାରତକୁ ବିଜୟ ତିଳକ ପିନ୍ଧାଇଛନ୍ତି ତିଳକ ବର୍ମା । ଏହି ବାମହାତୀ ବ୍ୟାଟର ସ୍ମରଣୀୟ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଭାରତକୁ ବିଜୟୀ କରାଇଛନ୍ତି । ଭାରତ ନବମ ଥର ଏସିଆ କପ୍ ଟାଇଟଲ୍ ଜିତିଥିବା ବେଳେ ଶେଷ ପର୍ଯ୍ୟନ୍ତ ଲଢି ଧୂଳି ଚାଟିଛି ପାକିସ୍ତାନ ।
ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୪୬ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତ ୧୯.୪ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି । ତିଳକ ବର୍ମା ୬୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଶିବମ ଦୁବେ ୩୩ ରନ ଓ ସଞ୍ଜୁ ସାମସନ ୨୪ ରନ କରିଥିଲେ । ଭାରତ ବିଜୟରେ ତିଳକଙ୍କ ସହ କୁଲଦୀପ ଯାଦବ ୪ ୱିକେଟ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
୧୪୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଆରମ୍ଭ ଦୟନୀୟ ଥିଲା । ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଫର୍ମରେ ଥିବା ଅଭିଷେକ ଶର୍ମା(୫ ରନ)ରେ ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା । ତାଙ୍କ ଆଉଟ୍ ପରେ ଭାରତର ରନ ଗତି ଧିମେଇ ଯାଇଥିଲା । ପୁଣି ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୧ ରନ) ନିରାଶ କରିଥିଲେ । ଶୁଭମନ ଗିଲ୍ ମଧ୍ୟ ୧୨ ରନ କରିଥିଲେ ହେଁ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ୨୦ ରନରେ ୩ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡିଥିଲା ଭାରତ । ତିଳକ ବର୍ମା ଓ ସଞ୍ଜୁ ସାମସନ ଇନିଂସ ସମ୍ଭାଳିଥିଲେ । ଉଭୟ ଧୈର୍ଯ୍ୟ ଏବଂ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍କୋର ଆଗକୁ ବଢାଇଥିଲେ । ଦୁହେଁ ୪ର୍ଥ ୱିକେଟ ଭାଗିଦାରୀରେ ୫୭ ରନ ଯୋଡି ଦଳର ସ୍ଥିତି ସୁଧାରିବା ସହ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ । ସଞ୍ଜୁ ସାମସନ ୨୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ ।
୭୭ ରନରେ ୪ ୱିକେଟ୍ ହରାଇବା ପରେ ତିଳକ ବର୍ମା ଅଲରାଉଣ୍ଡର ଶିବମ ଦୁବେଙ୍କ ସହ ମିଶି ଭାରତକୁ ବିଜୟ ଆଡକୁ ଆଗେଇ ନେଇଥିଲେ । ଉଭୟ ବଡ ସଟ୍ ଖେଳିବା ସହ ୫ମ ୱିକେଟରେ ୬୦ ରନ ଯୋଡି ଦଳକୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇଥିଲେ । ଦୁବେ ୨୨ ବଲରୁ ୨ ଚୌକା ଓ ୨ ଛକା ଜରିଆରେ ୩୩ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ତିଳକ ବର୍ମା ଶେଷ ପର୍ଯ୍ୟନ୍ତ ରହି ରୋମାଞ୍ଚକର ଫାଇନାଲ ମ୍ୟାଚରେ ଭାରତକୁ ଜିତାଇଛନ୍ତି । ତିଳକ ୫୩ ବଲରୁ ୩ ଚୌକା ଓ ୪ ଛକା ସହ ୬୯ ରନର ମ୍ୟାଚ୍ ବିଜୟୀ ପାଳି ଖେଳିଛନ୍ତି । ରିଙ୍କୁ ସିଂ ବିଜୟ ସୂଚକା ଚୌକା ମାରିଛନ୍ତି । ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୪ ୱିକେଟ ନେଇଛନ୍ତି ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନକୁ ଦମଦାର ଆରମ୍ଭ ଦେଇଥିଲେ ସାହିବଜାଦା ଫରହାନ ଓ ଫଖର ଜମାନ । ଉଭୟ ଭାରତୀୟ ବୋଲରଙ୍କ ବିରୋଧରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଓପନିଂରେ ୮୪ ରନ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ । ବିଶେଷ କରି ସାହିବଜାଦା ଫରହାନ ୩୮ ବଲରୁ ୫ ଚୌକା ଓ ୩ ଛକା ସହ ୫୭ ରନର ଇନିଂସ ଖେଳିଥିଲେ । ଫଖର ଜମାନ ୪୬ ରନ କରିଥିଲେ । ବାକି ବ୍ୟାଟର ଭାରତୀୟ ସ୍ପିନର କୁଲଦୀପ ଯାଦବ , ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲଙ୍କ ମୁକାବିଲା କରି ପାରି ନ ଥିଲେ । ଏକଦା ଦଳ ଏକ ୱିକେଟ୍ ହରାଇ ୧୧୩ ରନ କରିଥିବା ବେଳେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଅବଶିଷ୍ଟ ୯ ୱିକେଟ ୩୩ ରନରେ ହରାଇଥିଲା । କୁଲଦୀପ ୪ ୱିକେଟ ନେଇଥିବା ବେଳେ ବରୁଣ, ଅକ୍ଷର ଓ ବୁମରା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।