ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ ଭାରତ ପାଇଁ ମିଶ୍ରିତ ରହିଛି। ଏଠାରେ ଭାରତୀୟ ଆଥଲେଟମାନେ ମୋଟ ୬ଟି ପଦକ ଜିତିଛନ୍ତି। ଚଳିତ ବର୍ଷ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ୧୧୭ ଜଣ ଭାରତୀୟ ଆଥଲେଟ୍ ପ୍ୟାରିସରେ ପହଞ୍ଚିଥିଲେ। ଭାରତକୁ ମୋଟ ୬ଟି ପଦକ ମିଳିଥିବା ବେଳେ ସପ୍ତମ ପଦକର ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସିନାହିଁ। କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେ ରୌପ୍ୟ ପଦକ ପାଇଁ ଆଲିପ୍ ନାମ ପଞ୍ଜୀକରଣ କରିଥିଲେ, ଯାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଯଦି ଭିନେଶଙ୍କ ସପକ୍ଷରେ ରାୟ ଆସେ ତା’ହେଲେ ଭାରତକୁ ଆଉ ଗୋଟିଏ ପଦକ ମିଳିବ। ଏଥି ସହିତ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇବ।
ଭାରତ ଏପର୍ଯ୍ୟନ୍ତ ୫ଟି କାଂସ୍ୟ ଓ ୧ଟି ରୌପ୍ୟ ପଦକ ଜିତିଛି। ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ତେବେ ଏଥର ଭାରତର ଆକାଉଣ୍ଟରେ କୌଣସି ସୁନା ନାହିଁ। ଏହା ପୂର୍ବରୁ ଟୋକିଓରେ ଆୟୋଜିତ ଅଲିମ୍ପିକ୍ସରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଥିଲା। ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ ୭ଟି ପଦକ ଜିତିଥିଲା, ଯାହା କି ଅଲିମ୍ପିକ୍ସରେ ଭାରତର ସର୍ବାଧିକ ପଦକ ଥିଲା। ଏବେ ଦେଖିବା ରୋଚକ ହେବ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ନିଷ୍ପତ୍ତି ପରେ ଭାରତ ଖାତାରେ ସପ୍ତମ ପଦକ ପାଇବ କି ନାହିଁ।
୧୦ ମିଟର ଏୟାର ପିସ୍ତଲ - ମନୁ ଭାକର
ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୧୦ ମିଟର ଏୟାର ପିସ୍ତଲ ସିଙ୍ଗଲ୍ସ ଇଭେଣ୍ଟରେ ଭାରତ ପ୍ରଥମ ପଦକ (କାଂସ୍ୟ) ହାସଲ କରିଛି। ମନୁ ଭାକର ଭାରତ ପାଇଁ ଏହି ପଦକ ଜିତିଥିଲେ। ମନୁ ଭାକର ମୋଟ ଦୁଇଟି ପଦକ ଜିତିଥିଲେ। ମନୁ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ଦ୍ୱିତୀୟ ପଦକ ଜିତିଥିଲେ। ସେହିପରି ୨୫ ମିଟର ମହିଳା ପିସ୍ତଲ ଇଭେଣ୍ଟରେ ମନୁଙ୍କ ହାତ ନିରାଶ ହୋଇ ଚତୁର୍ଥ ସ୍ଥାନରେ ରହିଥିଲା। ଫଳରେ ମନୁ ତୃତୀୟ ପଦକ ହାତଛଡ଼ା କରିଥିଲେ।
୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ: ମନୁ ଭାକର ଓ ସର୍ବଜୋତ ସିଂ
୧୦ ମିଟର ଏୟାର ପିସ୍ତଲ ମିକ୍ସଡ (କାଂସ୍ୟ) ଦଳରେ ଭାରତ ପ୍ୟାରିସ ଅଲିମ୍ପିକ୍ସର ଦ୍ୱିତୀୟ ପଦକ ହାସଲ କରିଛି। ଭାରତକୁ ଦ୍ବିତୀୟ ପଦକ ଦେଇଥିବା ଦଳରେ ମନୁ ଭାକର ଓ ସର୍ବଜୋତ ସିଂହ ଥିଲେ।
ସ୍ବପ୍ନିଲଙ୍କୁ କାଂସ୍ୟ
ଶୁଟିଂରେ ମଧ୍ୟ ଭାରତ ତୃତୀୟ ପଦକ (କାଂସ୍ୟ) ହାସଲ କରିଛି। ସ୍ୱପ୍ନିଲ ୫୦ ମିଟର ରାଇଫଲ ଥ୍ରିପି ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ। ସ୍ୱପ୍ନିଲ ପ୍ରଥମ ଭାରତୀୟ ଭାବେ ଏହି ଇଭେଣ୍ଟରେ ପଦକ ଜିତିଥିଲେ।
ହକି ଦଳ
ଭାରତୀୟ ହକି ଦଳ ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି। ହକି ଦଳ ଭାରତର ଖାତାରେ ଚତୁର୍ଥ ପଦକ ରଖିଥିଲା। କାଂସ୍ୟ ପଦକ ମ୍ୟାଚ୍ରେ ହକି ଦଳ ସ୍ପେନ୍କୁ ୨-୧ ଗୋଲ୍ ରେ ପରାସ୍ତ କରିଛି।
ନୀରଜ ଚୋପ୍ରା-ଜାଭେଲିନ୍ ଥ୍ରୋ
ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଭାରତ ପାଇଁ ପଞ୍ଚମ ପଦକ ଜିତିଛନ୍ତି। ଜାଭେଲିନ୍ ଥ୍ରୋରେ ନୀରଜ ରୌପ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ନୀରଜ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ
ଭାରତର ଖାତାରେ ଷଷ୍ଠ ପଦକ ପୁରୁଷ କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ ରଖିଥିଲେ। ଅମନ କୁସ୍ତିର ୫୭ କେଜି ବର୍ଗରେ କାଂସ୍ୟ ପଦକ ଜିତିଥିଲେ।