ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା):
ଦଳର ଅଧିକାଂଶ ସିନିୟର ଖେଳାଳି ଆହତ ହୋଇ ସିରିଜରୁ ବାଦ ପଡିବା ଏବଂ ଅଧିନାୟକ ବିରାଟ କୋହଲି ନିଜର ବ୍ୟକ୍ତିଗତ କାରଣ ପାଇଁ ଦେଶକୁ ଫେରି ଆସିବା ସ୍ୱତ୍ତେ ଭାରତର ଯୁବ ଟିମ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବୀ ପ୍ରର୍ଦଶନ କରିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ହାତେଇଛି । ତେବେ ଆଜି ଫେରୁଥିବା ଖେଳାଳିଙ୍କୁ ଦେଖିବା ନିମନ୍ତେ ବିମାନବନ୍ଦରଠାରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ । ନିଜ ବ୍ୟାଟିଂ ସହ ଗାବାରେ ଅଷ୍ଟ୍ରେଲିଆର ଗର୍ବକୁ ଭାଙ୍ଗି ଦେଇଥିବା ରିଷଭ ପନ୍ତ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ବେଶ୍ ଖୁସି ଥିବା ଜଣାପଡୁଥିଲେ । ଟ୍ରଫି ବଜାୟ ରଖିବା ପରେ ସମଗ୍ର ଦଳ ବହୁ ଉତ୍ସାହିତ ଅଛି । ସମସ୍ତେ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମୁମ୍ବାଇ ବିମାନ ବନ୍ଦରରେ କାର୍ଯ୍ୟକାରୀ ଅଧିନାୟକ ଅଜିଙ୍କେ ରାହାନେ, ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ପୃଥ୍ୱୀ ଶ ମଧ୍ୟ ନଜର ଆସିଥିଲେ । ରୋହିତ ଶର୍ମାଙ୍କୁ ମଧ୍ୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରବଳ ସୁରକ୍ଷା ସହ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ବର୍ଡର-ଗାଭାସ୍କର ଟ୍ରଫି ଲଗାତର ଦ୍ୱିତୀୟ ଥର ପାଇଁ ଜିତିଛି ।