ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବାରବାଡୋସରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଆଇସିସି ବିଶ୍ବକପ୍-୨୦୨୪ ଚାମ୍ପିଅନ ହୋଇଛନ୍ତି। କିନ୍ତୁ ବିଶ୍ବକପ ଚାମ୍ପିଅନ ହେଲା ପରେ ମଧ୍ୟ ଭାରତୀୟ କ୍ରିକେଟ୍ ଟିମ୍ ସେଠାରେ ଫସିରହିଛନ୍ତି। ଏହାର କାରଣ ହେଉଛି ବାତ୍ୟ ‘ବେରିଲ’। କାଟାଗରି-୫ର ଏହି ବାତ୍ୟା ଭୟଙ୍କର ରୂପଧାରଣ କରିଛି। ବାତ୍ୟା ଆସିଲା ପରେ ପବନର ବେଗ ବଢ଼ିବା ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିମାନବନ୍ଦର ବନ୍ଦ କରିଦିଆଯାଇଛି। କର୍ଫ୍ୟୁ ଭଳି ସ୍ଥିତି ଉପୁଜିଛି।
ପବନର ବେଗ ଘଣ୍ଟା ପିଛା ୨୫୭ କିଲୋମିଟର ଥିବାରୁ ସ୍ଥାନୀୟ ପ୍ରଶାସନ ଚେତାବନୀ ଜାରି କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଲୋକେ ଘର ଭିତରୁ ବାହାରକୁ ନଯାଆନ୍ତୁ। ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ଅନେକ ଲୋକଙ୍କର ଘର ଛାତ ଭାଙ୍ଗିଯାଇଛି ଅଥବା ଉଡ଼ାଇ ନେଇଛି। ହଜାର ହଜାର ଗଛ ଉପୁଡ଼ି ପଡ଼ିଛି। ରାଜରାସ୍ତାରେ ପାଣି ଭର୍ତ୍ତି ହୋଇଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଟିମ୍ ହୋଟେଲ ଭିତରେ ଫସି ରହିଛନ୍ତି।
ପୂର୍ବତନ ଭାରତୀୟ କ୍ରିକେଟର ରବିନ ସିଂହ ମଧ୍ୟ ଏବେ ବାରବାଡୋସରେ ଅଛନ୍ତି। ସେ ବାତ୍ୟା କାରଣରୁ ଅନ୍ୟ ଭାରତୀୟଙ୍କ ସହିତ ହୋଟେଲ ଭିତରେ ଫସି ରହିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବାରବାଡୋସରେ ନିଜର ହୋଟେଲରୁ କିଛି ଭିଡିଓ ସେୟାର କରିଛନ୍ତି। ଅନ୍ୟପଟରେ କୁହାଯାଉଛି ଯେ, ବାରବାଡୋସରେ ବାତ୍ୟା ନରମିଛି ଓ ପବନ ବହିବା କମିଛି। ଯଦି ସବୁ ଠିକ୍ଠାକ ଚାଲିବ, ତାହେଲେ ଭାରତୀୟ ଖେଳାଳିମାନେ ଆଜି ରାତିରେ ଅଥବା ବୁଧବାର ଏକ ସ୍ବତନ୍ତ୍ର ବିମାନରେ ଭାରତ ପହଞ୍ଚିବେ ବୋଲି ଆଶା କରାଯାଉଛି।