କୋଲକାତା: ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଇଂଲଣ୍ଡକୁ ଏକତରଫା ମ୍ୟାଚରେ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ୍ ଶାଣିତ ବୋଲିଂ କରିିଥିବା ବେଳେ ଅଭିଷେକ ଶର୍ମା ବିସ୍ଫୋରକ ୭୯ ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି । ପ୍ରଥମେ ବ୍ୟାଟିଂ କର ଇଂଲଣ୍ଡ ୧୩୨ ରନ କରିଥିଲା । ଜବାବରେ ଭାରତ ୧୨.୫ ଓଭରରେ ୩ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।
୧୩୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଦୁଇ ଓପନର ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଦମଦାର ଆରମ୍ଭ ଦେଇଥିଲେ । ଉଭୟ ଓପନିଂରେ ୪୧ ରନ ଯୋଡି ଦଳ ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ସାମସନ ୨୬ ରନ କରି ଆଉଟ୍ ହୋଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ ସଟ୍ ଖେଳିବାକୁ ଯାଇ ଖାତା ଖୋଲି ପାରି ନ ଥିଲେ । ଏହା ପରେ ଅଭିଷେକ ଶର୍ମା ଓ ତିଳକ ବର୍ମା ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ । ବିଶେଷ କରି ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ଅଭିଷେକ ଶର୍ମା ଅର୍ଦ୍ଧଶତକ ହାସଲ କରିବା ସହ ମାତ୍ର ୩୪ ବଲରୁ ୫ ଚୌକା ଓ ୮ ଛକା ସହ ୭୯ ରନ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ଅଭିଷେକ ଓ ତିଳକ ତୃତୀୟ ୱିକେଟରେ ୮୪ ରନ ଯୋଡି ଦଳକୁ ବିଜୟୀ କରାଇଥିଲେ । ତିଲକ ବର୍ମା ୧୯ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ଆରମ୍ଭ ନିରାଶଜନକ ଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ବ୍ୟାକଫୁଟରେ ରହିଥିଲା । ଅଧିନାୟକ ଜୋସ ବଟଲରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନଥିଲେ । ହ୍ୟାରି ବ୍ରୁକ ୧୭ ରନ ଓ ଯୋଫ୍ରା ଆର୍ଚର ୧୨ ରନ ଦୁଇ ଅଙ୍କ ଛୁଇଁ ପାରି ଥିଲେ । ବଟଲର ୪୪ ବଲରୁ ୮ ଚୌକା ଓ ୨ ଛକା ସହ ୬୮ ରନର ଇନିଂସ ଖେଳିଥିଲେ । ଫଳରେ ଇଂଲଣ୍ଡ ୧୩୨ ରନ କରି ପାରିଥିଲା । ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨୩ ରନ ଦେଇ ୩ଟି ସଫଳତା ହାସଲ କରିଥିବା ବେଳେ ଅକ୍ଷର ପଟେଲ୍ ୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ ।