କଟକ: ଆଜି ବାରବାଟୀରେ ହେବାକୁ ଯାଉଛି ବଡ ଲଢେଇ। ଏହାକୁ କ୍ରିକେଟପ୍ରେମୀ ପୂରା ଚାତକ ଭଳି ଅନେଇ ବସିଛନ୍ତି। ସମୟ ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ଆଉ କିଛି ଘଣ୍ଟାର ଅପେକ୍ଷା ତାପରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ। ଦର୍ଶକ ହେବେ ମତୁଆଲା। ଛକା, ଚୌକାରେ ଉଛୁଳି ପଡ଼ିବ ବାରବାଟୀ। ପ୍ରକମ୍ପିତ ହେବ ଷ୍ଟାଡିୟମ, ରଙ୍ଗୀନ ଆଲୋକମାଳାରେ ଝଲସି ଉଠିବ ସାରା ଆକାଶ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ୧୦ ମାସ ବ୍ୟବଧାନ ପରେ ପୁଣି ଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଛି। ଆଜି ୫ ମ୍ୟାଚ୍ ବିଶିଷ୍ଟ - ଟ୍ରେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଜୟରୁ ସିରିଜରେ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛି।
ଏହି ଦୁଇ ଦଳ ପୂର୍ବରୁ ଏହି ଷ୍ଟାଡିୟମରେ ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଜିତି ଦକ୍ଷିଣ ଆଫ୍ରିକା ଏହି ପଡ଼ିଆରେ ବିଜୟର ହ୍ୟାଟ୍ରିକ୍ ହାସଲ କରିବାକୁ ଚେଷ୍ଟା କରିବ। କଟକର ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ଦୁଇଟିରେ ପରାସ୍ତ ହୋଇଛି। ତଥାପି ଭାରତ ଗୋଟିଏ ଜିତିଛି।
ସୂଚନା ଅନୁସାରେ, କଟକରେ ଭାରତ ଯେଉଁ ଦୁଇଟି ମ୍ୟାଚ୍ ହାରିଛି ତାହା ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୧୫ ଏବଂ ୨୦୨୨ରେ ବାରବାଟୀରେ ମୁହାଁମୁହିଁ ହୋଇଥିଲେ। ଆଉ ଭାରତ ଉଭୟ ମ୍ୟାଚରେ ପରାଜିତ ହୋଇଛି। ଏହି ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଏକମାତ୍ର ବିଜୟ ହୋଇଥିଲା। ତେଣୁ ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ମ୍ୟାଚ୍ ଜିତି ଏହି ଗ୍ରାଉଣ୍ଡରେ ବିଜୟର ହ୍ୟାଟ୍ରିକ୍ ହାସଲ କରିବାକୁ ଚେଷ୍ଟା କରିବ।