ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଲଜ୍ଜାଜନକ ୦-୩ରେ କ୍ଲିନସୁଇପ ହୋଇଛି । ଏହି ପରାଜୟ ପାଇଁ ସବୁଠୁ ବଡ କାରଣ ହେଉଛି ଦଳର ବରିଷ୍ଠ ଖେଳାଳି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ସଂପୂର୍ଣ୍ଣ ବିଫଳ ହେବା । ଏହି ଦୁଇ ବଡ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଏହି ଦୁଇ ଖେଳାଳି ରଣଜୀ ଓ ଦଲୀପ ଟ୍ରଫି ପରି ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ଛାଡି ଦେଇଛନ୍ତି । ସଂପ୍ରତି ଖେଳାଳିଙ୍କୁ ଘରୋଇ କ୍ରିକେଟରୁ ଦୂରରେ ରହିବାର ସ୍ୱାଧୀନତା ମିଳିଛି ଏବଂ କୁହାଯାଏ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ଏମିତି ବ୍ୟବସ୍ଥା କରାଯାଇଛି । ମାତ୍ର ଅତୀତରେ ଏମିତି ବ୍ୟବସ୍ଥା ନ ଥିଲା ।
୨୦୦୭ ବର୍ଷ ଉପରେ ନଜର ପକାଇଲେ ଜାନୁଆରୀରେ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଲମ୍ବା ଗସ୍ତ ଶେଷ ହୋଇଥିଲା । ଏହା ପରେ ପରେ ଭାରତୀୟ ଦଳକୁ ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବାର ଥିଲା । ଭାରତ ଜାନୁଆରୀ ୨୧, ୨୪, ୨୭ ଓ ୩୧ରେ ନାଗପୁର, ଚେନ୍ନାଇ, କଟକ ଓ ଭଦୋଦରାରେ ଚାରୋଟି ଦିନିକିଆ ଖେଳିଥିଲା । ଏହା ପରେ ଫେବୃଆରୀ ୧ରେ ଦଳର ଚାରି ବରିଷ୍ଠ ଖେଳାଳି ସଚିନ ତେନ୍ଦୁଲକର, ଜାହିର ଖାନ, ଅଜିତ ଅଗକର ଓ ସୌରଭ ଗାଙ୍ଗୁଲି ଭଦୋଦରାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । କାରଣ ଏହି ଚାରି ଖେଳାଳିଙ୍କୁ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ରଣଜୀ ଟ୍ରଫି ଫାଇନାଲ୍ ଖେଳିବାର ଥିଲା ।
ଏହି ମ୍ୟାଚରେ ସଚିନ ତେନ୍ଦୁଲକର ଶତକ ଅର୍ଜନ କରିଥିବା ବେଳେ ଗାଙ୍ଗୁଲି ୯୦ ରନ କରିଥିଲେ । ଜାହିର ଖାନ କିଛି ମହତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ରଣଜୀ ଫାଇନାଲର ୪୮ ଘଣ୍ଟା ପରେ ତେନ୍ଦୁଲକର, ଗାଙ୍ଗୁଲି ଓ ଜାହିରଙ୍କୁ ଶ୍ରୀଲଙ୍କା ବିପକ୍ଷ ଏକଦିବସୀୟ ସିରିଜ ଖେଳିବାର ଥିଲା । ଏସବୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥିଲେ ମଧ୍ୟ ସେହି ସମୟରେ କାର୍ଯ୍ୟଭାର ପ୍ରବନ୍ଧନ ଚର୍ଚ୍ଚାର ବିଷୟ ନ ଥିଲା । ଯଶପ୍ରୀତ ବୁମରାଙ୍କ ମାମଲା ଅପବାଦ ହୋଇପାରେ । କାରଣ ତାଙ୍କର ଆହତ ହେବାର ସମସ୍ୟା ଅଧିକ ରହିଥାଏ । ଏହାର କାରଣ ତାଙ୍କ ପାଖରେ କୌଣସି ବି ପରିସ୍ଥିତିରେ ଶାଣିତ ବୋଲିଂ କରିବାର ଅସାଧାରଣ କୌଶଳ ରହିଛି । ତେବେ ବିରାଟ କୋହଲି, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଖେଳାଳି ଦଲୀପ ଟ୍ରଫିରୁ ବାହାରେ ରହିବା ନେଇ ପ୍ରଶ୍ନ ଉଠୁଛି ।
ଏହି ବରିଷ୍ଠ ଖେଳାଳି କାହିଁକି ରଣଜୀ ଟ୍ରଫି ଖେଳିବେ ନାହିଁ । ଯଦି ସଚିନ ତେନ୍ଦୁଲକରଙ୍କ ପରି ବ୍ୟାଟର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥାଇ ମଧ୍ୟ ଘରୋଇ କ୍ରିକେଟ୍ ଖେଳିବାକୁ ଗୁରୁତ୍ୱ ଦେଉଥିଲେ । ତେବେ ଆଜିକା ସମୟରେ ଭାରତ ବରିଷ୍ଠ ଖେଳାଳି କାହିଁକି ରଣଜୀ ଟ୍ରଫି ଓ ଦଲୀପ ଟ୍ରଫି ଖେଳିବେ ନାହିଁ ବୋଲି ଅନେକ ପୂର୍ବତନ କ୍ରିକେଟର ମତପୋଷଣ କରିଛନ୍ତି ।