କଲମ୍ବୋ: ଆଇସିସି ମହିଳା ବିଶ୍ବକପ୍-୨୦୨୫ର ରବିବାର ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ଦଳ ୮୮ ରନ୍ରେ ବିଜୟ ହାସଲ କରିଛି। ଏହି ମୁକାବିଲାରେ ଦମଦାର ବିଜୟ ହାସଲ ପରେ ଅଧିନାୟିକା ହରମନପ୍ରୀତ କୌର ବିଜୟ ଉପରେ ତାଙ୍କର ଆନନ୍ଦ ପ୍ରକାଶ କରି କହିଛନ୍ତି, ସମସ୍ତେ ବହୁତ ଖୁସି। ଏହି ମ୍ୟାଚ୍ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ମୁଁ ନିଶ୍ଚିତ ଯେ ଭାରତରେ ସମସ୍ତେ ମଧ୍ୟ ଖୁସି ହେବେ। କ୍ରାନ୍ତି ଚମତ୍କାର ବୋଲିଂ କରିଥିଲେ ଏବଂ ରେଣୁକା ତାଙ୍କୁ ଭଲ ସମର୍ଥନ କରିଥିଲେ। ଆମେ କିଛି ସୁଯୋଗ ହାତଛଡ଼ା କରିଥିଲୁ। କିନ୍ତୁ ଶେଷରେ ବିଜୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ହରମନ ମଧ୍ୟ ସ୍ୱୀକାର କରିଛନ୍ତି ଯେ ପିଚ୍ ଉପରେ ବ୍ୟାଟିଂ କରିବା ସହଜ ନଥିଲା। ସେ କହିଛନ୍ତି, ବର୍ଷା ପରେ ପିଚ୍ ଟିକେ ଚିପିଚିପି ଥିଲା। ଆମର ଲକ୍ଷ୍ୟ ଥିଲା ଭଲ ସ୍କୋର ପୋଷ୍ଟ କରିବା ପାଇଁ ଯଥେଷ୍ଟ ସମୟ ବ୍ୟାଟିଂ କରିବା। ଶେଷରେ ରିଚାଙ୍କ ୩୦ ରନ ମ୍ୟାଚ୍ର ମୋଡ଼ ଥିଲା।
ହରମନପ୍ରୀତ ମଧ୍ୟ ଜୋର ଦେଇଥିଲେ ଯେ ଦଳର ଲକ୍ଷ୍ୟ କେବଳ ମ୍ୟାଚ୍ ଜିତିବା ନୁହେଁ, ବରଂ ଆତ୍ମବିଶ୍ୱାସ ବଜାୟ ରଖିବା। ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଆମେ ଭାରତକୁ ଫେରି ଏହି ଗତି ବଜାୟ ରଖିବାକୁ ଚାହୁଁଛୁ। ସେଠାକାର ପିଚ୍ ସହିତ ଆମର ଅଭିଜ୍ଞତା ଅଛି, ଏବଂ ଆମେ ପରବର୍ତ୍ତୀ ମ୍ୟାଚ୍ରେ ସମାନ ପ୍ରଦର୍ଶନ ପୁନରାବୃତ୍ତି କରିବାକୁ ଆଶା କରୁଛୁ।
ଭାରତର ବିଜୟ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ଭାରତୀୟ ପ୍ରଶଂସକମାନେ ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆର ପ୍ରଶଂସା କରୁଥିବା ବେଳେ, ପାକିସ୍ତାନୀ ପ୍ରଶଂସକମାନେ ନିଜ ଦଳର ପରାଜୟ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।
ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି