ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରୁ ନିଜର ଅଭିଯାନ ଆରମ୍ଭ କରିବ । ଏହି ମୁକାବିଲା ମାର୍ଚ୍ଚ ୨୩ ତାରିଖ ଖେଳାଯିବ । ମୁମ୍ବାଇର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲର ୧୮ତ ସଂସ୍କରଣ ଆରମ୍ଭ ହେବା ଠିକ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ସେ ଏକ ଚକିତ କରିବା ଭଳି ଖବର ଦେଇଛନ୍ତି । ଆଉ ଏହି ଖବର ଅଧିନାୟକତ୍ୱ ନେଇ ରହିଛି ।
ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ । ପ୍ରତିବନ୍ଧକ କାରଣରୁ ପ୍ରଥମ ମ୍ୟାଚରେ ପାଣ୍ଡ୍ୟା ଖେଳୁ ନାହାନ୍ତି । ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ । ପାଣ୍ଡ୍ୟା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର ଅଧିନାୟକ । ସେ ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚରେ ମୁମ୍ବାଇ ଦଳର ଅଧିନାୟକତ୍ୱ କରିବେ । ମୁମ୍ବାଇ ଗତ ସିଜିନରେ ସଭିଙ୍କୁ ଚକିତ କରି ଦଳରେ ବଡ ପରିବର୍ତ୍ତନ କରିଥିଲା । ରୋହିତ ଶର୍ମାଙ୍କୁ ହଟାଇ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା ।
ଯଦି ମୁମ୍ବାଇର ଚୂଡାନ୍ତ ଏକାଦଶ ଉପରେ ନଜର ପକାଇବ ତେବେ ରୋହିତ ଶର୍ମା ଓ ରିୟାନ ରିକଲଟନ ଓପନିଂ କରି ପାରନ୍ତି । ତିନି ନମ୍ବରରେ ତିଳକ ବର୍ମା ଓ ଚାରି ନମ୍ବରରେ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଓହ୍ଲାଇ ପାରନ୍ତି । ନମନ ଧୀର ଓ ମିଚେଲ୍ ସାଣ୍ଟରନଙ୍କୁ ମଧ୍ୟ ପ୍ରଥମ ମ୍ୟାଚରେ ସୁଯୋଗ ମିଳିପାରେ । କର୍ଣ୍ଣ ଶର୍ମା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ସୁଯୋଗ ମିଳିବା ନିଶ୍ଚିତ ଲାଗୁଛି ।