ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ପ୍ରକୃତ ଯୋଦ୍ଧା । ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ୨୦୨୫ର ୫୦ତମ ମ୍ୟାଚରେ ଏହା ସେ ପ୍ରମାଣିତ କରିଛନ୍ତି । ଟସ୍ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଖିରେ ଷ୍ଟିଜ ମରାଯାଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ସେ ମ୍ୟାଚ୍ ଖେଳି ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ମ୍ୟାଚ୍ ପୂର୍ବରୁ ଟ୍ରେନିଂ ସେସନରେ ତାଙ୍କ ଆଖିରେ ଆଘାତ ଲାଗିଥିଲା । ଏହା ପରେ ଆଖିରେ ତାଙ୍କର ୭ ଷ୍ଟିଜ ମରାଯାଇଥିବା ମିଡିଆ ରିପୋର୍ଟରୁ ପ୍ରକାଶ । ଏହା ପରେ ସେ ମ୍ୟାଚ୍ ଖେଳିବା ତାଙ୍କର ଲଢୁଆପଣକୁ ଦର୍ଶାଇଛି । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରୁ ୪୮ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ଆଉ ବୋଲିଂରେ ଗୋଟିଏ ୱିକେଟ୍ ହାସଲ କରିଛନ୍ତି ।
ପାଣ୍ଡ୍ୟାଙ୍କ ଦଳ ପ୍ରତି ଏହି ପ୍ରତିବଦ୍ଧତା ଦେଖି ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ କଥା ମନେ ପଡିଛି । କୋହଲି ୨୦୧୬ରେ ୮ଟି ଷ୍ଟିଜ ମରାଯାଇଥିଲା ବେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ । ପାଣ୍ଡ୍ୟା ମ୍ୟାଚରେ ଦଳର ନେତତୃତ୍ୱ ନେବା ସହ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛନ୍ତି ।
ଗତକାଲି ମ୍ୟାଚରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା ଓ ରିୟାନ ରିକଲଟଙ୍କ ଶତକୀୟ ଭାଗିଦାରୀ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୨ ୱିକେଟ୍ ହରାଇ ୨୧୭ ରନର ବିଶାଳ ସ୍କୋର କରିଥିଲ । ସୂର୍ଯ୍ୟକୁମାର ଯାଦବ ୪୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୮ ରନ କରି ଅପରାଜିତ ଥିଲେ ।
ଜବାବରେ ରାଜସ୍ଥାନ ବିଜୟ ଲକ୍ଷ୍ୟ ପିଛା କରି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୧୭ ରନରେ ଅଲଆଉଟ୍ ହୋଇଥିଲା । ଜୋଫ୍ରା ଆର୍ଚର ସର୍ବାଧିକ ୩୦ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ ୱିକେଟ୍ ଅକ୍ତିକାର କରିଛନ୍ତି । କରଣ ଶର୍ମାଙ୍କୁ ମଧ୍ୟ ୩ଟି ସଫଳତା ମିଳିଥିଲା ।