ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ଦୃଢ ଜବାବ ଦେଇ ଭାରତ ପାକିସ୍ତାନ ଉପରେ ୫ ବଡ ଆକ୍ସନ ନେଇଛି । ସେଥିରୁ ଗୋଟିଏ ହେଉଛି ପାକିସ୍ତାନର ନାଗରିକଙ୍କ ପାଇଁ ସବୁ ପ୍ରକାରର ଭିସା ରଦ୍ଦ କରିବା । ଏପରିକି ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ ଆଦେଶ ଦିଆଯାଇଛି । ଏହି ପଦକ୍ଷେପରେ ଏସିଆ କପରେ ପାକିସ୍ତାନର ଉପସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସିଆ କପ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବିହାରରେ ଆୟୋଜିତ ହେବାକୁ ଯାଉଛି । ତେଣୁ ପାକିସ୍ତାନୀ ହକି ଖେଳାଳିଙ୍କୁ ଏବେ ଭିସା ମିଳିବାର ପ୍ରଶ୍ନ ହିଁ ଉଠୁନି ।
ପୁରୁଷ ହକି ଏସିଆ କପ୍ ୨୦୨୬ ଏଫଆଇଏଚ ବିଶ୍ୱକପର କ୍ୱାଲିଫାୟର ମ୍ୟାଚ୍ । ଏହା ଉପରେ ଏବେ ସଙ୍କଟର ବାଦଲ ଛାଇ ଯାଇଛି । କାରଣ ପହଲଗାମ ଆତଙ୍କୀ ହମଲା ପରେ ବିହାରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳର ସାମିଲ ହେବା ଅନିଶ୍ଚିତତାରେ ରହିଛି । ଚଳିତ ମାସରେ ହକି ଇଣ୍ଡିଆ ସୂଚନା ଦେଇଥିଲା ଯେ, ପାକିସ୍ତାନ, ଦକ୍ଷିଣ କୋରିଆ, ମାଲେସିଆ, ଚୀନ ଓ ଜାପାନ ଏସିଆ କପ୍ ପାଇଁ ଭାରତ ଆସିବେ ।
ଇଣ୍ଡିଆନ ଏକ୍ସପ୍ରେସର ସୂତ୍ର ଅନୁଯାୟୀ, କଣ ପାକିସ୍ତାନ ସହ ଜଡିତ ମ୍ୟାଚ୍ କୌଣସି ନିରପେକ୍ଷ ସ୍ଥାନରେ ହେବ ? ଏହା ଉପରେ ହକି ଇଣ୍ଡିଆର କହିବା କଥା ଅପେକ୍ଷା କରାଯିବ ଏବଂ ଦେଖିବାକୁ ପଡିବ ଯେ, ଆଗାମୀ କିି ମାସରେ ସ୍ଥିତି କେମିତି ରହୁଛି । ଏବେ କୌଣସି ନିଷ୍ପତ୍ତି ନେବା ତରବରିଆ ହେବ । ଏହା ସ୍ପଷ୍ଟ ଯେ, ଆମେ ସରକାରଙ୍କ ନୀତି ପାଳନ କରିବୁ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।
କଣ ରହିଛି ଏସିଆକ ପର ମହତ୍ୱ
ଏସିଆ କପର ମହତ୍ୱ ବହୁତ ଅଧିକ ରହିଛି କାରଣ ଏହା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ । ଏହାର ବିଜେତାକୁ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପରେ ସିଧାସଳଖ ପ୍ରବେଶ ମିଳିବ । ନେଦରଲାଣ୍ଡ ଓ ବେଲଜିୟମ ଯୁଗ୍ମ ଭାବେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି ।
ଚଳିତ ବର୍ଷ କେବଳ ଏସିଆ କପ୍ ଭାରତରେ ହେଉନି ତା ସହ ୨୩ ବର୍ଷରୁ କମ ଜୁନିୟର ବିଶ୍ୱକପ୍ ମଧ୍ୟ ଚେନ୍ନାଇ ଓ ମଦୁରାଇରେ ଆୟୋଜନ ହେବ । ଏବେ ପାକିସ୍ତାନ ଦଳକୁ ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ମୁସ୍କିଲ ।