ଅହମ୍ମଦାବାଦ: ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ୫୮ ରନରେ ହରାଇଛି । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୨୧୭ ରନ କରିଥିଲା । ଜବାବରେ ରାଜସ୍ଥାନ ପ୍ରାରମ୍ଭିକ ବିପର୍ଯ୍ୟୟରୁ ମୁକୁଳି ନ ପାରି ୧୫୯ ରନରେ ଅଲଆଉଟ୍ ହୋଇଛି । ଅଧିନାୟକ ସଞ୍ଜୁ ସାମସନ ଓ ସିମରନ ହେଟମାରୟ ଉଦ୍ୟମ କରିଥିଲେ ହେଁ ଅନ୍ୟ ବ୍ୟାଟର ଫ୍ଲପ ହେବାରୁ ରାଜସ୍ଥାନ ପରାଜିତ ହୋଇଛି । ବିଜୟ ସହ ଗୁଜରାଟ ୮ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ରାଜସ୍ଥାନ ପାଞ୍ଚଟି ମ୍ୟାଚରୁ ତୃତୀୟ ପରାଜୟ ସହ ସପ୍ତମରେ ରହିଛି ।
ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୧୮ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ହେଲେ ଦଳର ଆରମ୍ଭ ନିରାଶଜନକ ଥିଲା । ୧୨ ରନ ସ୍କୋରରେ ଯଶସ୍ୱୀ ଜୟସ୍ୱାଲ ଓ ନୀତିଶ ରାଣା ପାଭିଲିୟନ ଫେରିଥିଲେ । ସଞ୍ଜୁ ସାମସନ ଓ ରିୟାନ ପରାଗ ମିଶି ୪୮ ରନ ଯୋଡିଥିଲେ । ମାତ୍ର ପରାଗ ୧୪ ବଲରୁ ୨୬ ରନ କରି ଆଉଟ୍ ହୋଇଥିଲେ । ଧ୍ରୁବ ଜୁରେଲଙ୍କଠୁ ଦଳ ବଡ ଇନିଂସ ଆଶା ରଖିଥିଲା । ହେଲେ ସେ ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ ।
ଦଳ ସଙ୍କଟରେ ଥିବା ସମୟରେ ସଞ୍ଜୁ ସାମସନ ଓ ହେଟମାୟର ୪୮ ରନ ଯୋଡିଥିଲେ । ମାତ୍ର ଦଳର ବିଜୟ ଆଶା ଆରମ୍ଭ ହେବା ବେଳକୁ ସାମସନ ୪୧ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ହେଟମାୟର ଗୋଟିଏ ପଟେ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ କେହି ସହଯୋଗ କରି ନ ଥିଲେ । ହେଟମାୟର ୫୨ ରନ କରି ଆଉଟ୍ ହୋଇଥିଲେ । ଶେଷରେ ରାଜସ୍ଥାନ ୧୯.୨ ଓଭରରେ ୧୫୯ ରନରେ ଅଲଆଉଟ୍ ହୋଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ପାଇଁ ସ।।ଇ ସୁଦର୍ଶନ ୫୩ ବଲରୁ ୮୨ ରନର ଦମଦାର ଇନିଂସ ଖେଳିଥିଲେ । ଚଳିତ ସଂସ୍କରଣରେ ସେ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ଜୋସ ବଟଲର ୩୬ ରନ ଓ ଶାହରୁଖ ଖାନ ୩୬ ରନ କରିଥିଲେ । ଫଳରେ ଗୁଜରାଟ ୨୧୭ ରନର ବିଶାଳ ସ୍କୋର କରିଥିଲା ।