ଇଂଲଣ୍ଡ: ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ନିଜର ଚମତ୍କାର ବ୍ୟାଟିଂ ଓ ଅତୁଳନୀୟ ମନୋଭାବ ଯୋଗୁଁ ଜୋ ରୁଟ୍ ଏବେ ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ବୋଲି କୁହାଯାଉଛି। ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଜୋ ରୁଟ୍ ଲର୍ଡସର ଐତିହାସିକ ପଡ଼ିଆରେ ଉଭୟ ଇନିଂସରେ ଶତକ ହାସଲ କରି ଅନେକ ବଡ଼ ରେକର୍ଡ କରିଛନ୍ତି।
୧୮୭୭ ମସିହାରୁ ଆରମ୍ଭ ହୋଇଥିବା ଟେଷ୍ଟ କ୍ରିକେଟ୍ ସେବେଠାରୁ ଆଜି ପର୍ଯ୍ୟନ୍ତ ୧୪୭ ବର୍ଷରେ ଜୋ ରୁଟ୍ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଶତକ ହାସଲକାରୀ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ରୁଟ୍ ପ୍ରଥମ ଇନିଂସରେ ନିଜର ୩୩ତମ ଟେଷ୍ଟ ଶତକ ଏବଂ ଦ୍ୱିତୀୟ ଇନିଂସରେ ୩୪ତମ ଟେଷ୍ଟ ଶତକ ହାସଲ କରିଥିଲେ। ସେହିପରି ଜୋ ରୁଟ୍ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ୫୦ଶତକ ପୂରଣ କରିଛନ୍ତି।
ଏହା ପୂର୍ବରୁ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାର ରେକର୍ଡ ଆଲିଷ୍ଟର କୁକ୍ଙ୍କ ନାମରେ ଥିଲା। କୁକ୍ ଟେଷ୍ଟ କ୍ରିକେଟରେ ୩୩ଟି ଶତକ ହାସଲ କରିଥିଲେ। ସେହିପରି ୩୪ ଶତକ ସହ ଜୋ ରୁଟ୍ ଇଂଲଣ୍ଡ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲକାରୀ ହୋଇଛନ୍ତି। ରୁଟ୍ ସୁନୀଲ ଗାଭାସ୍କର, ୟୁନିସ୍ ଖାନ୍, ବ୍ରାଏନ୍ ଲାରା ଓ ମାହେଲା ଜୟବର୍ଦ୍ଧନେଙ୍କ ଟେଷ୍ଟ ଶତକ ସହ ସମକକ୍ଷ ହୋଇଛନ୍ତି। ଟେଷ୍ଟରେ ସମସ୍ତଙ୍କର ୩୪ଟି ଶତକ ରହିଛି।
୨୦୨୦ ସୁଦ୍ଧା ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ମାତ୍ର ୧୭ଟି ଶତକ ହାସଲ କରିଥିଲେ। ତେବେ କେହି ଭାବି ନଥିବେ ଯେ ଆଗାମୀ ୪ ବର୍ଷ ମଧ୍ୟରେ ରୁଟ୍ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଦେବେ। ୨୦୨୧ରେ ରୁଟ୍ ବ୍ୟାଟିଂରେ ୬ଟି ଶତକ ହାସଲ କରିଥିଲେ। ଏହାପରେ ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୨୨ରେ ରୁଟ୍ ୫ଟି ଶତକ ହାସଲ କରିଥିଲେ। ତେବେ ୨୦୨୩ ଜୋ ରୁଟ୍ ଙ୍କ ପାଇଁ ସେତେଟା ଭଲ ନଥିଲା। ତେବେ ଇଂଲଣ୍ଡ ୨୦୨୩ରେ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିନଥିଲା। ୨୦୨୩ରେ ରୁଟ୍ ଦୁଇଟି ଶତକ ହାସଲ କରିଥିଲେ। ସେହିପରି ଚଳିତ ବର୍ଷ ତାଙ୍କ ବ୍ୟାଟ୍ରୁ ୪ଟି ଶତକ ଆସିଛି।
ଅଧିକ ପଢ଼ନ୍ତୁ: ପ୍ୟାରିସ ଅଲିମ୍ପିକ୍ସରେ ଚମକିଲେ ଭାରତର ସୁନା ଝିଅ