ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଙ୍ଗଳବାର ଆଇପିଏଲ୍ ୨୦୨୫ ମେଗା ନିଲାମୀ ପାଇଁ ତାରିଖ ଘୋଷଣା କରିଛି। ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦ୍ଦା ସହରରେ ମେଗା ଅକ୍ସନର ଆୟୋଜନ ହେବ। ନିଲାମ ପାଇଁ ମୋଟ୍ ୧୫୭୪ ଖେଳାଳି ନାଁ ପଞ୍ଜୀକରଣ କରିଛନ୍ତି। ଏଥିରୁ ସର୍ବାଧିକ ୭୦ ବିଦେଶୀ ଖେଳାଳି ସମେତ ୨୦୪ ଖେଳାଳିଙ୍କ ଭାଗ୍ୟ ଚମକିପାରେ।
୧୦ ଫ୍ରାଞ୍ଚାଇଜଙ୍କ ନିକଟରେ ଖର୍ଚ୍ଚ କରିବା ପାଇଁ ଏବେ ୬୪୧.୫ କୋଟି ଟଙ୍କା ରହିଛି। ପ୍ରତ୍ୟେକ ଦଳ ସର୍ବାଧିକ ୨୫ ଖେଳାଳି ରଖି ପାରିବେ। ନିକଟରେ ୧୦ ଫ୍ରାଞ୍ଚାଇଜ ମୋଟ୍ ୪୬ ଖେଳାଳିଙ୍କୁ ରିଟେନ୍ କରିଥିଲେ। ଏଥିପାଇଁ ୫୫୮.୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ପ୍ରତ୍ୟେକ ଫ୍ରାଞ୍ଚାଇଜଙ୍କ ପାଖରେ ୧୨୦ କୋଟି ଟଙ୍କା ରହିଥିଲା।
ତେବେ ରିଟେନସନରେ ଦକ୍ଷିଣ ଆଫ୍ରିକାର ହେନରିକ କ୍ଲାସେନ ସବୁଠୁ ମହଙ୍ଗା ଖେଳାଳି ରହିଛନ୍ତି। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)୨୩ କୋଟି ଟଙ୍କା ବ୍ୟୟରେ ଦଳରେ ରଖିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କାରେ ରିଟେନ କରିଛି। କୋହଲି ବର୍ତ୍ତମାନ ଦ୍ଵିତୀୟ ମହଙ୍ଗା ଖେଳାଳି ରହିଛନ୍ତି।
ତେବେ ନଆଇପିଏଲ୍ ୨୦୨୫ର ମେଗା ନିଲାମ ପାଇଁ ପଞ୍ଜାବ କିଙ୍ଗ୍ସ ନିକଟରେ ଅଧିକ ଅର୍ଥ ରହିଛି। କାରଣ ଦଳ କେବଳ ଦୁଇ ଜଣ ଅନକ୍ୟାପ୍ଡ ଖେଳାଳି ପ୍ରଭସିମରନସିଂ ଓ ଶଶାଙ୍କ ସିଂଙ୍କୁ ରିଟେନ କରିଛି। ଫଳରେ ଦଳ ପାଖରେ ୧୧୦.୫ କୋଟି ଟଙ୍କା ରହିଛି। ଆରସିବି ପର୍ସରେ ମଧ୍ୟ ଅଧିକ ଅର୍ଥ ରହିଛି। ଦଳ ରିଟେନ୍ ଖେଳାଳିଙ୍କ ପାଇଁ ୩୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୮୩ କୋଟି ଟଙ୍କା ଉପଲବ୍ଧ ରହିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଏବେ ୭୩ କୋଟି ଟଙ୍କା ରହିଛି। ଖେଳାଳି ରିଟେନରେ ଦିଲ୍ଲୀ ୪୭ କୋଟି ଖର୍ଚ୍ଚ କରିଛି।
ମେଗା ନିଲାମ ପୂର୍ବରୁ ଅନେକ ବଡ଼ ଖେଳାଳିଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ ରିଲିଜ୍ କରିଥିଲେ। ଏଥିରେ ଜୋସ୍ ବଟଲର, ଇଶାନ କିଶନ, କେଏଲ ରାହୁଲ, ଶ୍ରେୟସ ଆୟର, ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଓ ଋଷଭ ପନ୍ତଙ୍କ ପରି ଖେଳାଳି ସାମିଲ। ଏହି ଖେଳାଳିଙ୍କ ଉପରେ ସବୁ ଫ୍ରାଞ୍ଚାଇଜ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ପାରନ୍ତି ।