ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟର ବିରାଟ କୋହଲି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଭାରତର ଘରୋଇ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଖେଳିବେ। ସେ ଏହି ବିଷୟରେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘକୁ ଅବଗତ କରିଛନ୍ତି। ସେ ଫୋନ ଯୋଗେ ଡିଡିସିଏର ଅଧିକାରୀଙ୍କୁ ଅବଗତ କରିଛନ୍ତି। ବିଜୟ ହଜାରେ ଟ୍ରଫି ଡିସେମ୍ବର ୨୪ ତାରିଖରେ ଆରମ୍ଭ ହେବ। ଆନ୍ଧ୍ର ପ୍ରଦେଶ ବିପକ୍ଷରେ ଦିଲ୍ଲୀ ନିଜର ପ୍ରଥମ ମ୍ୟାଚ୍ ଖେଳିବ।
ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ରୋହନ ଜେଟଲି ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲିଙ୍କ ଖେଳିବା ନେଇ ସୂଚନା ଦେଇଛନ୍ତି। ବିରାଟଙ୍କୁ ନେଇ ଦିଲ୍ଲୀ ଟିମ୍ ବେଶ ଆଗ୍ରହୀ। ରୋହନ ଜେଟଲି କହିଛନ୍ତି, ବିରାଟ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜୟ ହଜାରେ ଟ୍ରଫିରେ ଖେଳିବେ ଏବଂ ଆମେ ତାଙ୍କୁ ଦିଲ୍ଲୀ ପାଇଁ ଖେଳିବା ପାଇଁ ଅପେକ୍ଷା କରିଛୁ। ବିରାଟ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଖେଳୁଛନ୍ତି।
ବିରାଟ କୋହଲି ଶେଷ ଥର ପାଇଁ ବିଜୟ ହଜାରେ ଟ୍ରଫି ୨୦୦୯-୧୦ ସିଜିନରେ ଖେଳିଥିଲେ । ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟସ୍ତତା ଯୋଗୁ ଘରୋଇ କ୍ରିକେଟ୍ ଖେଳିପାରି ନଥିଲେ। ବିରାଟ କୋହଲି ଶେଷ ଥର ପାଇଁ ସେପ୍ଟେମ୍ବର ୨୦୧୩ରେ ଦିଲ୍ଲୀ ପାଇଁ ୫୦ ଓଭର ମ୍ୟାଚ୍ ଖେଳିଥିଲେ । ଏନକେପି ସାଲଭେ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ ବ୍ଲୁ ଏବଂ ଇଣ୍ଡିଆ ରେଡ୍ ଦଳ ସାମିଲ ଥିଲେ । କୋହଲି ସେହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀର ଅଧିନାୟକତ୍ଵ କରିଥିଲେ ।
ରୋହିତ ଶର୍ମା ବିଜୟ ହଜାରେ ଟ୍ରଫି ଖେଳିପାରନ୍ତି
ବିରାଟ କୋହଲି ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରୁ ଅବସର ନେଇସାରିଛନ୍ତି। ସେ ଏବେ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି। ଦୀର୍ଘ ସମୟ ପରେ ବିରାଟ ଘରୋଇ କ୍ରିକେଟ୍ ଖେଳିବେ। ରୋହିତ ଶର୍ମାଙ୍କ ସ୍ଥିତି ବି ସମାନ। ଯଦି ରୋହିତ ଏବଂ ବିରାଟ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ନିଜକୁ ଫିଟ୍ ରଖିବାକୁ ପଡିବ ଏବଂ ଘରୋଇ କ୍ରିକେଟ୍ ଖେଳିବାକୁ ପଡିବ ବୋଲି ମତ ପ୍ରକାଶ ପାଇ ସାରିଛି। ତେବେ ରୋହିତ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳି ନାହିଁ। ଆଶା କରାଯାଉଛି ଯେ ସେ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଖେଳିବେ।
Also read: ବାରବାଟୀ ଟି-୨୦: ଲାଲ୍ ମାଟିରେ ପ୍ରସ୍ତୁତ ପିଚରେ ଖେଳାଯିବ IND vs SA ମ୍ୟାଚ୍