କଟକ: ବାରବାଟୀ ଟି-୨୦ ମ୍ୟାଚକୁ ନେଇ ରାଜ୍ୟରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ମ୍ୟାଚର ସଫଳ ଆୟୋଜନ ନେଇ ଓସିଏ ପକ୍ଷରୁ ପିଚ୍ଠୁ ନେଇ ଗ୍ୟାଲେରୀ ସବୁ ପ୍ରକାରର ପ୍ରସ୍ତୁତି ଜୋରସୋରରେ ଚାଲିଛି। ମ୍ୟାଚ୍ ପାଇଁ ଚାରୋଟି ପିଚ୍ ପ୍ରସ୍ତୁତ କରାଯାଇଛି। ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି-୨୦ ମ୍ୟାଚ୍ ରେଡ୍ ପିଚରେ ଖେଳାଯିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି ବାରବାଟୀ ପିଚ୍ କ୍ୟୁରେଟର।
ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ -ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ। ପ୍ରାୟ ଅଢେ଼ଇ ଘଣ୍ଟା ଧରି ସେ ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। କେଉଁ ପିଚରେ ମ୍ୟାଚ୍ ଖେଳାଯିବ ତାର ନିଷ୍ପତ୍ତି ପିଚ୍ କ୍ୟୁରେଟର ହିଁ ନେବେ ବୋଲି ସେ କହିଥିଲେ। ବାରବାଟୀରେ କଳା ଓ ଲାଲ୍ ମାଟିରେ ମୋଟ ୪ଟି ପିଚ୍ ପ୍ରସ୍ତୁତ ହୋଇଛି। ଆଉ ପିଚ୍ କ୍ୟୁରେଟର ଲାଲ ମାଟିରେ ତିଆରି ପିଚ୍ ଉପରେ ଖେଳ ହେବ ବୋଲି କହିଛନ୍ତି।
ଓସିଏ କ୍ୟୁରେଟର କହିଛନ୍ତି ମ୍ୟାଚ ହାଇସ୍କୋରିଂ ହେବା ପାଇଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି। କାକରକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନିଆଯାଉଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବିସିସିଆଇ କ୍ୟୁରେଟର ବାରବାଟୀରେ ରହି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିବେ। ଲାଲ ମାଟିରେ ପ୍ରସ୍ତୁତ ପିଚରେ ଖେଳାଗଲେ ମ୍ୟାଚ୍ ହାଇସ୍କୋରିଂ ରହିଥାଏ। ତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ଭାବେ ଲାଲ୍ ମାଟିରେ ପିଚ୍ ପ୍ରସ୍ତୁତ କରାଯାଇଛି।
ସୂଚନାଯୋଗ୍ୟ, ବାରବାଟୀ ମ୍ୟାଚ୍ ପାଇଁ ମାତ୍ର ୩୫ ମିନିଟରେ ଅନଲାଇନରେ ଉପଲବ୍ଧ ୨ ହଜାର ଟିକେଟ୍ ଗତକାଲି ଶେଷ ହୋଇଛି। ଡିସେମ୍ବର ୫ ତାରିଖରେ ଷ୍ଟାଡିୟମର କାଉଣ୍ଟରରେ ୧୦ ହାଜର ଟିକେଟ୍ ବିକ୍ରି କରାଯିବ। ଉଲ୍ଲେଖନୀୟ ଦିନିକିଆ ସିରିଜ୍ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୯ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।