ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡରେ ପିଙ୍କ ବଲ ଟେଷ୍ଟ ଆସନ୍ତାକାଲିଠୁ ଆରମ୍ଭ ହେଉଛି । ଏହି ଦିବାରାତ୍ର ମ୍ୟାଚ୍ ପାଇଁ ଘରୋଇ ଅଷ୍ଟ୍ରେଲିଆ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଅଧିନାୟକ ପାଟ୍ କମିନ୍ସ ଦଳରେ ଗୋଟିଏ ପରିବର୍ତ୍ତନ କରିଛନ୍ତି । ସାଇଡ ଷ୍ଟ୍ରେନ କାରଣରୁ ଯୋଶ ହେଜେଲଉଡ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କୁ ଦଳରେ ସାମିଲ୍ କରାଯାଇଛି ।
ଅଧିନାୟକ ପାଟ୍ କମିନ୍ସ ଦିବାରାତ୍ର ଟେଷ୍ଟ ମ୍ୟାଚ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି । ବୋଲାଣ୍ଡଙ୍କ ମଧ୍ୟ ଘରୋଇ ମାଟିରେ ମ୍ୟାଚ୍ ଖେଳିବାର ବେଶ ଅନୁଭବ ରହିଛି । ପିଙ୍କ ବଲରେ ସେ ବେଶ ଘାତକ ରହିଛ୍ତି । ବୋଲାଣ୍ଡ ଏ ପର୍ଯ୍ୟନ୍ତ ଖେଳିଥିବା ୧୦ଟି ଟେଷ୍ଟ ମ୍ୟାଚର ୧୯ଟି ଇନିଂସରୁ ୩୫ ୱିକେଟ୍ ହାସଲ କରିଛନ୍ତି ।
କ୍ରିକେଟ୍ ଅଷ୍ଟ୍ରେଲିଆ ଜୋଶ ହେଜେଲଉଡ ଆହତ ହେବା ପରେ ତାଙ୍କ ବଦଲରେ ସିନ ଏବଟ ଓ ବ୍ରେଣ୍ଡନ ଡଗେଟଙ୍କୁ ଦଳରେ ସାମିଲ କରିଥିଲା । କିନ୍ତୁ ଏଥିରୁ କାହାରିକୁ ସୁଯୋଗ ମିଳିନି । ତାରକା ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଆଶା ଅନୁଯାୟୀ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଓପନର ଭାବେ ଉସ୍ମାନ ଖ୍ୱାଜାଙ୍କ ସହିତ ନାଥନ ମ୍ୟାକସ୍ୱିନି ନଜର ଆସିବେ । ସେ ପ୍ରଥମ ମ୍ୟାଚରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । ମୋଟାମୋଟି ଅଷ୍ଟ୍ରେଲିଆ ଦଳରେ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶ
ଉସ୍ମାନ ଖ୍ୱାଜା, ନାଥନ ମ୍ୟାକସ୍ୱିନି, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ଟ୍ରେଭିସ ହେଡ, ଆଲେକ୍ସ କେରି(ୱିକେଟ୍ କିପର), ପାଟ୍ କମିନ୍ସ(ଅଧିନାୟକ), ମିଚେଲ୍ ମାର୍ଶ, ମିଚେଲ୍ ଷ୍ଟାର୍କ, ନାଥନ ଲିୟନ ଓ ସ୍କଟ ବୋଲାଣ୍ଡ ।