ନୂଆଦିଲ୍ଲୀ: ମହାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ବୁଧବାର ଅଗଷ୍ଟ ୨୭ରେ ସେ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଥିବା ସୂଚନା ଦେଇଛନ୍ତି । ସେ ଏବେ ଭାରତରେ ପେଶାଦାର କ୍ରିକେଟରେ ଆଉ ନଜର ଆସିବେ ନାହିଁ । ଏହା ପୂର୍ବରୁ ସେ ଗତ ବର୍ଷ ଡିସେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ତାଙ୍କର ପରବର୍ତ୍ତୀ ଯୋଜନା କଣ ସେ ବିଷୟରେ ମଧ୍ୟ କହିଛନ୍ତି ଅଶ୍ୱିନ । ଅନ୍ୟ ଟି-୨୦ ଲିଗରେ ସେ ଖେଳିବେ ବୋଲି କହିଛନ୍ତି ।
ଆର ଅଶ୍ୱିନ ନିଜର ଆନୁଷ୍ଠାନିକ ଏକ୍ସ ହ୍ୟାଣ୍ଡେଲରେ ଆଇପିଏଲରୁ ସନ୍ନ୍ୟାସ ନେଉଥିବାର ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଆଜି ଏକ ସ୍ୱତନ୍ତ୍ର ଦିନ ଏବଂ ସ୍ୱତନ୍ତ୍ର ଆରମ୍ଭ କରିବି । ଗୋଟିଏ ଅନ୍ତର ନୂଆ ଆରମ୍ଭ ହୋଇଥାଏ । ଜଣେ ଆଇପିଏଲ ଖେଳାଳି ଭାବେ ମୋ ସମୟ ଆଜି ସମାପ୍ତ ହୋଇଛି । କିନ୍ତୁ ବିଭିନ୍ନ ଲିଗରେ ମୋତେ ଖେଳୁଥିବା ଦେଖିବାକୁ ପାଇବେ । ଏତେ ବର୍ଷ ଧରି ଚମତ୍କାର ମୁହୂର୍ତ୍ତ ଏବଂ ସଂପର୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜ ଟିମକୁ ଧନ୍ୟବାଦ । ଆଇପିଏଲ ଓ ବିସିିସିଆଇକୁ ମୋର ହୃଦୟରୁ ଧନ୍ୟବାଦ । ଆଗାମୀ ଯୋଜନାର ପୂରା ମଜା ନେବାକୁ ଉତ୍ସୁକ ବୋଲି ଅଶ୍ୱିନ କହିଛନ୍ତି ।
ଗତ ସିଜିନରେ ରବିଚନ୍ଦ୍ରନ ଅଶ୍ୱିନ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିଥିଲେ । ମାତ୍ର ତାଙ୍କ ପ୍ରଦର୍ଶନ ଆଖିଦୃଶିଆ ନ ଥିଲା । ତେଣୁ ତାଙ୍କୁ ଦଳରୁ ରିଲିଜ୍ କରାଯିବାର ସମ୍ଭାବନା ଥିଲା । ମାତ୍ର ଏହା ପୂର୍ବରୁ ଅଶ୍ୱିନ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଆଇପିଏଲ୍ ୨୦୨୫ ନିଲାମରେ ଚେନ୍ନାଇ ତାଙ୍କୁ ୯ କୋଟି ୭୫ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା । ହେଲେ ଚେନ୍ନାଇ ପିଚରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିଲା । ଏପରିକି ତାଙ୍କୁ ଚୂଡାନ୍ତ ଏକାଦଶରୁ ବି ବାଦ୍ ଦିଆଯାଇଥିଲା ।
ଅଶ୍ୱିନ ଗତ ଆଇପିଏଲରେ ଚେନ୍ନାଇ ପକ୍ଷରୁ ୯ଟି ମ୍ୟାଚ୍ ଖେଳିଥିଲେ । ତାଙ୍କ ଦଳ ପଏଣ୍ଟ ଟେବୁଲରେ ନିମ୍ନ ସ୍ଥାନରେ ରହିଥିଲା । ଏହି ୯ ମ୍ୟାଚରେ ସେ ୯.୧୨ ହାରରେ ମାତ୍ର ୭ ୱିକେଟ୍ ନେଇଥିଲେ । ଆଇପିଏଲରେ ମୋଟ୍ ୧୮୭ଟି ମୟାଚ୍ ଖେଳି ୨୨୧ ୱିକେଟ୍ ନେଇଛନ୍ତି ଏହି ତାରକା ସ୍ପିନର ।
Also read: ଅଜବ ସଂଯୋଗ... ଟିମ୍ ଇଣ୍ଡିଆର ସ୍ପନସର ଯିଏ ହୋଇଛି, ସେ ଡୁବିଛି