ଭୁୁବନେଶ୍ୱର: ଭାରତୀୟ କ୍ରିକେଟ୍ ଟିମର ଜର୍ସିରେ ସ୍ଥାନ ପାଇବା ଯେ କୌଣସି କମ୍ପାନି ପାଇଁ ଗର୍ବ ଏବଂ ପ୍ରତିଷ୍ଠାର ବିଷୟ ହୋଇଥାଏ। ମାତ୍ର ଅଜବ ସଂଯୋଗ ଏହା ଯେ ଏକବିଂଶ ଶତାବ୍ଦୀରେ ଯେଉଁ କମ୍ପାନିଗୁଡ଼ିକ ଟିମ ଇଣ୍ଡିଆର ପ୍ରାୟୋଜକ ହୋଇଛନ୍ତି ସମସ୍ତେ କୌଣସି ନା କୌଣସି କାରଣରୁ ଆଇନର ପେଞ୍ଚ କିମ୍ବା ଆର୍ଥିକ ବିବାଦରେ ଫସିଛନ୍ତି। ପ୍ରଥମେ ପ୍ରଥମେ କମ୍ପାନି ସଫଳତାର ଶୀର୍ଷକୁ ଉଠିବା ପରେ ତଳକୁ ଖସି ଆସିଛନ୍ତି। ତାଲିକାରେ ଏବେ ଯୋଡ଼ି ଯୋଡି ହୋଇ ଯାଇଛି ଡ୍ରିମ ଇଲେଭେନର ନାଁ। ଅନଲାଇନ ଗେମିଂ ବିଲ୍ ସଂସଦରେ ପାରିତ ହେବା ପରେ ଡ୍ରିମ ଇଲେଭେନ ଏବେ ବେଡିଙ୍ଗ ବସ୍ତାନି ବାନ୍ଧିବାକୁ ପ୍ରସ୍ତୁତି କରୁଛି।
ଅଗଷ୍ଟ ୨୧ରେ ପ୍ରମୋସନ ଆଣ୍ଡ ରେଗୁଲେସନ ଅପ ଅନଲାଇନ ଗେମିଂ ବିଲ୍ ୨୦୨୫ ଉଭୟ ଗୃହରେ ଗୃହୀତ ହୋଇଛି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ନେବ ଆଇନର ରୂପ। ବିଲ୍ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆର୍ଥିକ ନେଣଦେଣ ହେଉଥିବା କୌଣସି ବି ଗେମିଂ ଆପ୍ ଉପରେ ଲାଗିବ କଟକଣା। ତେଣୁ ବିଲ୍ ଆଇନରେ ପରିଣତ ହେବା ପରେ ଏହି ନିୟମ ଡ୍ରିମ ଇଲେଭେନ ଉପରେ ମଧ୍ୟ ଲାଗୁ ହେବ। ଏମିତି ହେଲେ ଟିମ୍ ଇଣ୍ଡିଆର ସ୍ପୋନସରସିପରୁ ହଟିବ ଡ୍ରିମ ଇଲେଭେନ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରାୟୋଜକ ରହି ସାରିଛନ୍ତି ବାୟଜୁ, ଓପ୍ପୋ, ଷ୍ଟାର ଇଣ୍ଡିଆ ଓ ସାହାରା । କିନ୍ତୁ ଏହି ସବୁ କମ୍ପାନିର ପ୍ରାୟୋଜକ ଭାବେ ଯାତ୍ରା ରହିଥିଲା ବହୁତ ମୁସ୍କିଲ।
ପ୍ରଥମେ ନଜର ପକାଇବା ସାହାରା ଉପରେ
ଭାରତୀୟ କ୍ରିକେଟ୍ ଦଳର ଜର୍ସି ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା ସାହାରା ଗ୍ରୁପର ନାଁ। ୧୨ ବର୍ଷ ଧରି ଟିମ୍ ଇଣ୍ଡିଆର ଜର୍ସିର ମୁଖ ସ୍ପୋନସର ରହିଥିଲା ସାହାରା। ଏହି ସମୟରେ ଭାରତୀୟ ଦଳ ୨୦୦୩ ବିଶ୍ଵକପ୍ ଫାଇନାଲରେ ହାରିଥିବା ବେଳେ ୨୦୦୭ ଟି-୨୦ ବିଶ୍ଵକପ୍ ଏବଂ ୨୦୧୧ ଦିନିକିଆ ବିଶ୍ଵକପ୍ ଜିତିଥିଲା। ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଟିମ୍ ଇଣ୍ଡିଆର ସ୍ପୋନସର ରହିବା ପରେ ସାହାରାର କାରବାର ଧିରେ ଧିରେ ଡୁବିବାରେ ଲାଗିଥିଲା।
ସାହାରା ଗ୍ରୁପ ନିଜର ଦୁଇଟି ହାଉସିଂ ବଣ୍ଡ ଜରିଆରେ ନିବେଶକଙ୍କଠୁ ପାଖାପାଖି ୨୪ ହଜାର କୋଟି ଟଙ୍କା ସଂଗ୍ରହ କରିଥିଲା। ସେବି ଅନୁଯାୟୀ, ଉଲ୍ଲଂଘନ କରି ବେନିୟମ ଭାବେ ଏହି ଅର୍ଥ ନିୟମ ସଂଗ୍ରହ କରାଯାଇଥିଲା। ୨୦୧୨ରେ ସୁପ୍ରିମକୋର୍ଟ ସାହାରାକୁ ପୂରା ଅର୍ଥ ନିବେଶକଙ୍କୁ ଫେରାଇବା ପାଇଁ ଦେଇଥିଲେ ଆଦେଶ। କିନ୍ତୁ ଠିକ ଭାବେ କୋର୍ଟଙ୍କ ଆଦେଶର ପାଳନ କରି ପାରି ନ ଥିଲା ସାହାରା । ତେଣୁ ୨୦୧୪ରେ ଗିରଫ ହୋଇଥିଲେ ଗ୍ରୁପର ଚେୟାରମ୍ୟାନ ସୁବ୍ରତ ରାୟ। ୨୦୨୩ରେ ସୁବ୍ରତ ରାୟଙ୍କ ନିଧନ ହୋଇ ସାରିଥିଲେ ହେଁ ନିବେଶକଙ୍କୁ ଅର୍ଥ ଫେରାଇବା ପ୍ରକ୍ରିୟା ଏବେ ବି ଜାରି ରହିଛି। ଟିମ୍ ଇଣ୍ଡିଆ ସହ ଏମିତି ଥିଲା ସାହାରାର ଯାତ୍ରା।
ଏବେ ନଜର ପକାଇବା ଷ୍ଟାର ଇଣ୍ଡିଆ ଉପରେ
ସାହାରା ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ହୋଇଥିଲା ଷ୍ଟାର ଇଣ୍ଡିଆ । ୨୦୧୪ ରୁ ୨୦୧୭ ଏହି ସମୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ରହିଥିଲା ଖାସ୍। ଏହି ସମୟରେ ଦୁଇ ଖେଳାଳିଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ରନ ବର୍ଷା । ଏସବୁ ମଧ୍ୟରେ ଷ୍ଟାର ଇଣ୍ଡିଆର ମୁସ୍କିଲ ବଢି ଚାଲିଥିଲା। ଓ୍ଵାଲ୍ଟ ଡିଜିନର ସ୍ଵାମିତ୍ଵରେ ଥିବା ଷ୍ଟାର ଉପରେ ମାର୍କେଟ୍ ନିୟମ ଦୁରୁପଯୋଗର ଅଭିଯୋଗ ହୋଇଥିଲା। ସମୟ କ୍ରମେ କମ୍ପାନିର ସ୍ଥିତି ବିଗିଡ଼ିବାରେ ଲାଗିଲା ଏବଂ ଶେଷରେ ଜିଓ ସହ ମର୍ଜର କରିବାକୁ ପଡ଼ିଥିଲା।
ତୃତୀୟରେ ରହିଛି ଓପ୍ପୋର ନାଁ...
ଚୀନ କମ୍ପାନି ଓପ୍ପୋ ବିସିସିଆଇ ସହ ହଜାରେ ୭୯ କୋଟିର ମୋଟା ଅଙ୍କର ଡିଲ୍ କରିଥିଲା। କମ୍ପାନି ଟିମ୍ ଇଣ୍ଡିଆର ପାଞ୍ଚ ବର୍ଷ ପାଇଁ ମୁଖ୍ୟ ପ୍ରାୟୋଜକ ହେବ ବୋଲି ଚୁକ୍ତିନାମା ହୋଇଥିଲା। ହେଲେ ଓପ୍ପୋକୁ ଆଶା ମୁତାବକ ଫାଇଦା ମିଳି ନ ଥିଲା। ସ୍ପନସରଶିପର ଖର୍ଚ୍ଚ କମ୍ପାନିକୁ ବେଶ ମହଙ୍ଗା ପଡ଼ିଥିଲା। ଏହି ସମୟରେ ନୋକିଆ ଓ ଇଣ୍ଟର ଡିଜିଟାଲ୍ ସହ ପେମେଣ୍ଟ ବିବାଦ କମ୍ପାନିର ମୁସ୍କିଲକୁ ଆହୁରି ବଢାଇ ଦେଇଥିଲା। ପରିଣାମ ସ୍ଵରୂପ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ରହିବା ପରେ ଓପ୍ପୋକୁ ଟିମ୍ ଇଣ୍ଡିଆର ସ୍ପୋନସରଶିପରୁ ଓହରିବାକୁ ପଡ଼ିଥିଲା।
ଏହା ପରେ ସ୍ପୋନସରଶିପ ତାଲିକାରେ ରହିଛି ବାୟଜୁର ନାଁ
୨୦୨୦ରେ ଭାରତୀୟ ଟିମର ଜର୍ସିର ମୁଖ୍ୟ ସ୍ପୋନସର ଭାବେ ଓପ୍ପୋର ସ୍ଥାନ ନେଇଥିଲା ବାୟଜୁ। ମାତ୍ର କମ୍ପାନି ଶୀର୍ଷକୁ ଉଠି ଧରାଶାୟୀ ହୋଇଥିଲା। ବାୟଜୁର ଭେଲ୍ୟୁ ୨୦୨୨ ପର୍ଯ୍ୟନ୍ତ ୨୨ ବିଲିୟନ ଡଲାର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶୂନ୍ୟକୁ ଖସି ଆସିଥିଲା କମ୍ପାନିର ଭେଲ୍ୟୁ । କମ୍ପାନି ପାଖରେ ବିସିସିଆଇକୁ ଟଙ୍କା ଦେବାକୁ ପର୍ଯ୍ୟାପ୍ତ ଅର୍ଥ ବି ନ ଥିଲା। ବିସିସିଆଇ ବକୈୟା ୧୫୮ ଟଙ୍କା ପାଇବା ପାଇଁ ବାୟଜୁ ବିରୋଧରେ NCLTରର ଦ୍ଵାରସ୍ଥ ହୋଇଥିଲା। ଆଉ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ବାୟଜୁ।
ଏବେ ଡ୍ରିମ ଇଲେଭେନର ପାଳି
ବାୟଜୁ ପରେ ୨୦୨୩ରେ ତିନି ବର୍ଷ ପାଇଁ ଟିମ୍ ଇଣ୍ଡିଆର କିଟ୍ ସ୍ପନସରଶିପ୍ ହାତେଇଥିଲା ଡ୍ରିମ ଇଲେଭେନ। ବିସିସିଆଇ ସହ ୩୫୮ କୋଟିର ଡିଲ୍ କରିଥିଲା ଏହି ସଂସ୍ଥା। ଆରମ୍ଭରୁ ଏହାକୁ ଏକ ଦମଦାର ଡିଲ୍ ବୋଲି କୁହାଗଲା। କାରଣ ଫାଣ୍ଟାସି ଗେମ୍ ଖେଳୁଥିବା ୟୁଜର୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହାସଲ କରିଥିଲା ଡ୍ରିମ ଇଲେଭେନ । କ୍ରିକେଟ୍ ସହ ଏହି ଗେମ୍ ସିଧାସଳଖ ଜଡ଼ିତ ଥିଲା। ତେବେ ୨୦୨୧-୨୨ରେ ଡ୍ରିମ ଇଲେଭେନ ଉପରେ ୧୨୦୦ କୋଟିର ଜିଏସଟି ଚୋରିର ଅଭିଯୋଗ ହୋଇଥିଲା। ଏହି ବିବାଦ ଡ୍ରିମ ଇଲେଭେନର ଛବିକୁ ମଳିନ କରିଥିଲା। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନୂଆ ଅନଲାଇନ ଗେମିଂ ବିଲ୍ ଡ୍ରିମ ଇଲେଭେନର ବିଜନେସ୍ ମୋଡେଲ୍ ଉପରେ ସିଧା ପ୍ରହାର କରିଛି। ଏଥିରେ କେବଳ କମ୍ପାନିର ଆୟ ଉପରେ ପ୍ରଭାବ ପଡିବ ନାହିଁ ବରଂ ଟିମ୍ ଇଣ୍ଡିଆର ଜର୍ସିରୁ ଏହାର ନାଁ ହଟିଛି।
ବିସିସିଆଇର ସ୍ପନସରଶିପର କାହାଣୀ ବଲିଉଡ ସୁପର ଷ୍ଟାର୍ସଙ୍କ ପରି ରୋଚକ ରହିଛି। ପ୍ରଥମେ ଶାହରୁଖ, ସଲମାନ, ଆମିରଙ୍କ ଫିଲ୍ମ ପରଦାକୁ ଆସିବା ମାତ୍ରେ ହିଟ୍ ହୋଇ ଯାଉଥିଲା। ମାତ୍ର ଏବେ କାହାଣୀ ବଦଳି ଯାଇଛି। ତିନି ସୁପରଷ୍ଟାରଙ୍କ ଫିଲ୍ମ ବି ଫ୍ଲପ ହେଉଛି। ସୁପରଷ୍ଟାର ହୋଇଗଲେ ଲୋକପ୍ରିୟତା ମିଳେ, ମାତ୍ର ସର୍ବଦା ସଫଳତାର ଗ୍ୟାରେଣ୍ଟି ନ ଥାଏ। ଠିକ୍ ଯେମିତି ଟିମ୍ ଇଣ୍ଡିଆର ସ୍ପନସରମାନଙ୍କ ସହ ହେଉଛି। ନାଁ ମିଳୁଛି, ଖ୍ୟାତି ମିଳୁଛି। କିନ୍ତୁ ପରବର୍ତ୍ତୀ ସମୟରେ ସଂସ୍ଥା ବୁଡି ଯାଉଛି। ବିସିସିଆଇ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ। ଏମିତି ଏକ ବ୍ରାଣ୍ଡ ମିଳୁ ଯିଏ ପ୍ରେସର ସହ ପବ୍ଲିସିଟିକୁ ହ୍ୟାଣ୍ଡେଲ କରି ପାରିବ। ଆଉ ଟିମ୍ ଇଣ୍ଡିଆର ଜର୍ସିରେ ଦୀର୍ଘ ସମୟ ଧରି ରହିବ ପ୍ରାୟୋଜକର ନାଁ।