ନୂଆଦିଲ୍ଲୀ: କୁଇନ୍ସଲାଣ୍ଡରେ ଖେଳାଯାଉଥିବା ଚତୁର୍ଥ ଟି-୨୦ ମୁକାବିଲାରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଘାତକ ବୋଲିଂରେ ଭାରତ ଦୁଇ ଶହ ଛୁଇଁ ପାରିନାହିଁ । ସେହିପରି ବ୍ୟାଟର୍ ମଧ୍ୟ ଅର୍ଦ୍ଧଶତକ କରିବାରେ ବିଫଳ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ, ମୋଟ ୮ଟି ୱିକେଟ୍ ହରାଇ ଭାରତ ମାତ୍ର ୧୬୭ ରନ୍ କରିବାରେ ସକ୍ଷମ ହୋଇପାରିଛି । ଅଷ୍ଟ୍ରେଲିଆ ସମ୍ମୁଖରେ ମାତ୍ର ୧୬୮ ରନ୍ ଟାର୍ଗେଟ୍ ଦେଇଛି ଭାରତ ।
ପ୍ରଥମେ ଟସ୍ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା । ଟସ୍ ଜିତି ଆୟୋଜକ ଦଳ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ୍ ବ୍ୟାଟିଂ କରିବାକୁ ଆସିଥିଲେ । ଆରମ୍ଭରୁ ହିଁ ଭାରତର ସ୍କୋର୍ ବହୁତ ଶିଥିଳ ଥିଲା । ୭ ଓଭର୍ ଚାଲିଥିବାବେଳେ ପ୍ରଥମ ଝଟକା ଲାଗିଥିଲା । ଅଷ୍ଟ୍ରେଲିଆ ବୋଲର୍ ଜାମ୍ପାଙ୍କ ବଲକୁ ମାରିବାକୁ ଯାଇ ଟିମ୍ ଡେଭିଡଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇ ଅଭିଷେକ ପାଭିଲିଅନ୍ ଫେରିଥିଲା । ଫଳରେ ଶର୍ମା ୨୮(୨୧) ରନ୍ କରି ଆଉଟ୍ ହୋଇଥିଲେ । ଅଭିଷେକ ଏବଂ ଶୁବମନ ୫୬ ରନର ପାଳି ଖେଳିଥିଲେ । ଏହା ପରେ ଗିଲଙ୍କ ସାଥ ଦେବାକୁ ତୃତୀୟ ନମ୍ବରରେ ପଡ଼ିଆକୁ ଓହ୍ଲାଇଥିଲେ । କିନ୍ତୁ ଶିବମ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ମାତ୍ର ୮୮ ରନରେ ଭାରତକୁ ଦ୍ୱିତୀୟ ଝଟକା ଲାଗିଥିଲା । ଉଭୟ ଖେଳାଳି ମାତ୍ର ୨୯ ବଲ ଖେଳି ୩୨ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲେ । ଶିବମ୍ ମାତ୍ର ୨୨ ରନ୍ କରି ନାଥନ୍ ଏଲିସ୍ ଙ୍କ ବଲରେ ଆଉଟ୍ ହୋଇ ପଡ଼ିଆ ବାହାରକୁ ଆସିଥିଲେ । ଏହା ପରେ କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ ଏବଂ ଶୁବମନ ବ୍ୟାଟିଂ ମଙ୍ଗ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗିଲ୍ ମଧ୍ୟ ଅଧିକ ସମୟ ରହିପାରିନଥିଲେ । ଏଠି ନାଥନଙ୍କୁ ଆଉ ଏକ ସଫଳତା ମିଳିଥିଲା । ଭାରତକୁ ୩ୟ ଧକ୍କା ଲାଗିଥିଲା । ଫଳରେ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ଶୁବମନ ମାତ୍ର ୪୬ (୩୯) ରନ୍ କରିପାରିଥିଲେ । ଯେଉଁଥିରେ ୪ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଅଛି ।
ଏହି କ୍ରମରେ ସୂର୍ଯ୍ୟକୁମାର ଯାଦବ ୨୦ (୧୦), ତିଲକ ବର୍ମା ୫ (୬), ଜିତେଶ ଶର୍ମା ୩(୪), ୱାଶିଂଟନ୍ ସୁନ୍ଦର ୧୨ (୭), ଅକ୍ଷର ପଟେଲ୍ ୨୧ (୧୧) ଏବଂ ବରୁଣ ୧ (୧) ରନ୍ କରିଛନ୍ତି । ଅର୍ଶଦୀପ ସିଂ ମାତ୍ର ତିନୋଟି ବଲ୍ ଖେଳି କୌଣସି ରନ ନ କରି ଫେରିଛନ୍ତି । ଅକ୍ଷର ଏବଂ ବରୁଣ ଉଭୟ ଅପରାଜିତ ରହିଛନ୍ତି ।
ଅପରପକ୍ଷେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଏଲିସ୍ ଏବଂ ଆଦମ୍ ସାମ୍ପା ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ନାଥନ୍ ୪ ଓଭର୍ ବୋଲିଂ କରି ମାତ୍ର ୨୧ (୩ ୱିକେଟ୍) ରନ୍ ଦେଇଛନ୍ତି । ଜାମ୍ପା ୪ ଓଭର୍ ବୋଲିଂ କରି ସର୍ବାଧିକ ୪୫ ରନ୍ (୩ ୱିକେଟ୍) ଦେଇଛନ୍ତି । ସେହିପରି ଜାଭିଅର୍ ବାର୍ଟଲେଟ୍ ଓ ମାର୍କସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।