କାନପୁର: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନରେ ଅଲଆଉଟ୍ ହୋଇଛି । ଦ୍ୱିତୀୟ ଓ ତୃତୀୟ ଦିନର ଖେଳ ବର୍ଷାରେ ଧୋଇ ହୋଇ ଯିବା ପରେ ଚତୁର୍ଥ ଦିନ ଖେଳ ସ୍ୱାଭାବିକ ହୋଇଛି । ବାଂଲାଦେଶ ପକ୍ଷରୁ ମୋନିମୁଲ ହକ ଅପରାଜିତ ୧୦୭ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଅନ୍ୟ ବ୍ୟାଟର ନିରାଶ କରିଛନ୍ତି । ବାଂଲାଦେଶର ୨୩୩ ରନ ଜବାବରେ ଭାରତ ବିସ୍ଫୋରକ ଶୈଳୀରେ ବ୍ୟାଟିଂ ଜାରି ରଖିଛି । ଖବର ଲେଖାଯିବା ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୭.୨ ଓଭରରେ ୧ ଫ୍ୱିକେଟ୍ ହରାଇ ୭୬ ରନ କରିଛି । ଯଶସ୍ୱୀ ଜୟସ୍ୱାଲ ୪୮ ରନ ଓ ଶୁଭମନ ଗିଲ୍ ୨ ରନ କରି ଖେଳୁଛନ୍ତି । ଅଧିନାୟକ ରୋହିତ ଶର୍ମା ୨୩ ରନ ଦ୍ରୁତ ବ୍ୟାଟିଂ କରି ଆଉଟ୍ ହୋଇଛନ୍ତି । ଭାରତ ପକ୍ଷରୁ ବୋଲିଂରେ ଯଶପ୍ରୀତ ବୁମରା ସର୍ବାଧିକ ୩ ସଫଳତା ହାସଲ କରିଛନ୍ତି ।
ବାଂଲାଦେଶ ତୃତୀୟ ଦିନର ଅସମାପ୍ତ ଖେଳ ୧୦୭/୩ରୁ ଆରମ୍ଭ କରିଥିଲା । ଚତୁର୍ଥ ଦିନ ଖେଳ ଆରମ୍ଭରୁ ଭାରତୀୟ ବୋଲର ଶାଣିତ ବୋଲିଂ କରି ବାଂଲାଦେଶ ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଅନ୍ୟପଟେ ପ୍ରଥମ ଦିନରୁ ଅପରାଜିତ ଥିବା ମୋମିନୁଲ ହକ ଧୈର୍ଯ୍ୟର ସହ ବ୍ୟାଟିଂ କରି ନିଜର ଟେଷ୍ଟ କ୍ୟାରିୟରରେ ୧୩ତମ ଶତକ ଅର୍ଜନ କରିଛନ୍ତି । ତାଙ୍କର ଏହି ଶତକ ବଳରେ ବାଂଲାଦେଶ ୨୩୩ ରନ କରି ପାରିଛି । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଶାଦମାନ ଇସ୍ଲାମ ୨୪ ରନ, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୩୧ ରନ ଓ ମେହଦି ହାସନ ମିର୍ଜା ୨୦ ରନ କରିଛନ୍ତି ।
ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫୦ ରନ ବିନିମୟରେ ସବାଧିକ ୩ଟି ସଫଳତା ହାସଲ କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ, ଆକାଶ ଦୀପ ଓ ମହମ୍ମଦ ସିରାଜ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।