ନୂଆଦିଲ୍ଲୀ: ବ୍ରୁସେଲ୍ସରେ ଅନୁଷ୍ଠିତ ଡାଇମଣ୍ଡ ଲିଗ ୨୦୨୪ର ଫାଇନାଲରେ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଜାଭେଲିନରେ ନୀରଜଙ୍କୁ କ୍ରମାଗତ ଦ୍ୱିତୀୟ ବର୍ଷ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଛି । ନୀରଜ ୮୭.୮୬ ମିଟର ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆଣ୍ଡରସନ ପିଟର୍ସ ୮୭.୮୭ ମିଟର ସହ ଚାମ୍ପିଅନ ହୋଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ରୌପ୍ୟ ପଦକ ବିଜେତା ନୀରଜ ମାତ୍ର ୦.୦୧ ମିଟର ପାଇଁ ଟାଇଟଲରୁ ବଞ୍ଚିତ ହୋଇଛନ୍ତି ।
ନୀରଜ ପ୍ରଥମ ପ୍ରୟାସରେ ୮୬.୮୨ ମିଟର ଜାଲେଲିନ ଫିଙ୍ଗିଥିବା ବେଳେ ତାଙ୍କର କଡା ପ୍ରତିଦ୍ୱନ୍ଦ୍ୱୀ ଆଣ୍ଡରସନ ପିଟର୍ସ ୮୭.୮୭ ମିଟର ଫିଙ୍ଗିଥିଲେ । ଏହା ପରେ ଦ୍ୱିତୀୟ ପ୍ରୟାସରେ ନୀରଜ ୮୪ ମିଟରରୁ କମ ଫିଙ୍ଗି ପାରିଥିଲେ । କିନ୍ତୁ ତୃତୀୟ ପ୍ରୟାସରେ ସେ ୮୭.୮୬ ମିଟର ଜାଭେଲିନ ଫିଙ୍ଗିଥିଲେ । ଏହିପରି ନୀରଜ ୧ ସେଣ୍ଟି ମିଟର ବ୍ୟବଧାନରେ ଚାମ୍ପିଅନରୁ ବଞ୍ଚିତ ହୋଇଛନ୍ତି । ଭାରତୀୟ ତାରକା ଖେଳାଳିଙ୍କ ଶେଷ ପ୍ରୟାସ ୮୬ ମିଟରରୁ ଅଧିକ ରହିଥିଲେ ହେଁ ତାହା ତାଙ୍କୁ ଚାମ୍ପିଅନ କରାଇ ପାରି ନ ଥିଲା ।
ଏହା ପୂର୍ବରୁ ୨୦୨୨ରେ ନୀରଜ ଡାଇମଣ୍ଡ ଲିଗରେ ଚାମ୍ପିଅନ ହୋଇଥିଲେ । ସେ ଫାଇନାଲରେ ୮୮.୪୪ ମିଟର ଜାଭେଲିନ ଫିଙ୍ଗି ଡାଇମଣ୍ଡ ଲିଗ୍ ଚାମ୍ପିଅନରେ ଐତିହାସିକ ଉପଲବ୍ଧି ହାସଲ କରିଥିଲେ । ୨୦୨୩ରେ ନୀରଜ ୮୩.୮୦ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ । ୨୦୨୪ର ଚାମ୍ପିଅନ ଆଣ୍ଡରସନ ପିଟର୍ସଙ୍କୁ ପୁରସ୍କାର ସ୍ୱରୂପ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୨୫ ଲକ୍ଷ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିବା ନୀରଜଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।