ନୂଆଦିଲ୍ଲୀ: ଇଟାଲୀକୁ ଟି-୨୦ ବିଶ୍ୱକପ ୨୦୨୬ର ଟିକେଟ୍ ମିଳିପାରେ । ହଁ ଆଜ୍ଞା... ଆପଣ ଠିକ୍ ପଢିଛନ୍ତି । ଫୁଟବଲ ଓ ଟେନିସ ପାଇଁ ପ୍ରସିଦ୍ଧ ଏହି ଦେଶ କ୍ରିକେଟ୍ ଦୁନିଆରେ ଧିରେ ଧିରେ ନିଜର ନାଁ କରିବାରେ ଲାଗିଛି । ଇଟାଲୀର ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଖେଳିବାର ଆଶା ସେହି ସମୟରେ ଜାଗି ଉଠିଲା, ଦଳ ଯେତେବେଳେ ୟୁରୋପ ରିଜିଓନାଲ ଫାଇନାଲ କ୍ୱାଲିଫାୟରରେ ସ୍କଟଲାଣ୍ଡ ହରାଇଲା । ଉଲ୍ଲେଖନୀୟ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ମୋଟ୍ ୨୦ ଦଳ ଅଂଶଗ୍ରହଣ କରିବେ । ଏ ପର୍ଯ୍ୟନ୍ତ ୧୩ଟି ଦଳ ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ଅବଶିଷ୍ଟ ୭ଟି ସ୍ଥାନ ପାଇଁ ପ୍ରତିଯୋଗିତା ଜାରି ରହିଛି ।
ପୂର୍ବତନ ଅଷ୍ଟ୍ରେଲିଆର ବ୍ୟାଟର ଜୋ ବର୍ନ୍ସଙ୍କ ନେତୃତ୍ୱରେ ଇଟାଲୀର ଏହି ବିଜୟ ଦଳକୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିବାର ଦ୍ୱାର ଦେଶରେ ପହଞ୍ଚାଇଛି । ଦଳ ଯଦି ଜୁଲାଇ ୧୧ରେ ନେଦରଲାଣ୍ଡକୁ ହରାଇଦିଏ ତେବେ ସିଧାସଳଖ ଟି-୨୦ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିବ ।
ଗତ ସପ୍ତାହ ଜୁଲାଇ ୫ରେ ଯେବେ ୟୁରୋପୀୟ କ୍ୱାଲିଫାୟର ଆରମ୍ଭ ହୋଇଥିଲା, ସେହି ସମୟରେ ୫ଟି ଦଳ ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର ଦୌଡରେ ଥିଲେ । ତେବେ ଗ୍ୱେନର୍ସ ଦଳ ବାଦ୍ ପଡିବା ପରେ ଏବେ ୪ଟି ଦଳ ନେଦରଲାଣ୍ଡ, ଇଟାଲୀ, ସ୍କଟଲାଣ୍ଡ ଓ ଜର୍ସି ମଧ୍ୟରେ କଡା ଟକ୍କର ଚାଲିଛି ।
ଶୁକ୍ରବାର ସିଙ୍ଗଲ ରାଉଣ୍ଡ ରବିନ ପର୍ଯ୍ୟାୟ ଶେଷରେ ଟପ୍ ୨ଟି ଦଳ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିବେ । କିଛି ରୋଚକ ପରିଣାମ ଓ ଦୁଇଟି ମ୍ୟାଚ୍ ବର୍ଷାରେ ରଦ୍ଦ ହେବା କାରଣରୁ ଇଟାଲୀ ବିଶ୍ୱକପରେ ସ୍ଥାନ ପାଇବା ପାଇଁ ମଜବୁତ ସ୍ଥିତିରେ ରହିଛି । ଶୁକ୍ରବାର ଅନ୍ତିମ ଦିନରେ ଇଟାଲୀ ବନାମ ନେଦରଲାଣ୍ଡ ଏବଂ ଜର୍ସି ବନାମ ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ ।
ଇଟାଲୀ ବର୍ତ୍ତମାନ ୩ଟି ମ୍ୟାଚରୁ ୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ନେଦରଲାଣ୍ଡ ଖାତାରେ ୪, ଜର୍ସି ଏବଂ ସ୍କଟଲାଣ୍ଡ ଖାତାରେ ୩-୩ ପଏଣ୍ଟ ରହିଛି ।
ଯଦି ଇଟାଲୀ ନେଦରଲାଣ୍ଡ ବିପକ୍ଷ ଶେଷ ମ୍ୟାଚ୍ ଜିତିବାରେ ସଫଳ ହୁଏ ତେବେ ଦଳ ନିଶ୍ଚିତ ରୂପେ ଟି-୨୦ ବିଶ୍ୱକପ୍ ୨୦୨୬ ଟିକେଟ୍ ପାଇବ । ଯଦି ଦଳ ପରାଜିତ ହୁଏ ତେବେ ନେଟ୍ ରନ ରେଟ୍ ଆଧାରରେ ସ୍ଥିର ହେବ ଯେ, କେଉଁ ଦୁଇଟି ଦଳ କ୍ୱାଲିଫାଏ କରିବେ । ଜର୍ସି ଓ ସ୍କଟଲାଣ୍ଡ ମ୍ୟାଚରେ ଯିଏ ଜିତିବ ତାର ପଏଣ୍ଟ ୫ରେ ପହଞ୍ଚିବ । ଏମିତିରେ ଇଟାଲୀ ଓ ଜର୍ସି ବନାମ ସ୍କଟଲାଣ୍ଡ ମ୍ୟାଚର ବିଜେତା ଦଳ ମଧ୍ୟରୁ ଯାହାର ନେଟ୍ ରନ ରେଟ୍ ଉନ୍ନତ ରହିବ ସେ ନେଦରଲାଣ୍ଡ ସହ ଟି-୨୦ ବିଶ୍ୱକପର ଟିକେଟ୍ ପାଇବ ।