ନୂଆଦିଲ୍ଲୀ: ଭାରତୀୟ ମହକାଶଚାରୀ ଶୁଭାଂଶୁ ଶୁକ୍ଳା ଜୁଲାଇ ୧୫ରେ କାଲିଫର୍ଣ୍ଣିଆ ସମୁଦ୍ର କୂଳ ନିକଟରେ ପୃଥିବୀ ପୃଷ୍ଠରେ ଅବତରଣ କରିବେ । ଏହା ପରେ ତାଙ୍କୁ ୭ ଦିନ ପୁନଃଥଇଥାନ(ରିହାବ)ରେ ରକାଯିବ । ଶୁଭାଂଶୁ ୧୮ ଦିନ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ଆଇଏସଏସ)ରେ ରହିବା ପରେ ପୃଥିବୀକୁ ଫେରୁଛନ୍ତି ।
ଶୁକ୍ଳା ଓ ଅନ୍ୟ ତିନି ମହାକାଶଚାରୀ ଜୁନ ୨୬ରେ କମର୍ସିଆଲ ଏକ୍ସିଅମ-୪ ମିଶନ ଆଧାରରେ ଆଇଏସଏସରେ ପହଞ୍ଚିଥିଲେ । ନାସା ଅନୁସାରେ ମହାକାଶଚାରୀମାନେ ଜୁଲାଇ ୧୪ ସନ୍ଧ୍ୟା ୪ଟା ୩୫ରେ ଆଇଏସଏସରୁ ଅଲଗା ହେବେ । ଜୁଲାଇ ୧୫ରେ ଅପରାହ୍ଣ ୩ଟାରେ କାଲିଫର୍ଣ୍ଣିଆ ସମୁଦ୍ର କୂଳରେ ଅବତରଣ କରିବେ ।
ଇସ୍ରୋ ମୁତାବକ ସ୍ପେଲ୍ୟାସଡାଉନ ପରେ ଶୁକ୍ଳାଙ୍କୁ ପୃଥିବୀର ମାଧ୍ୟାକର୍ଷଣ ସହ ଅନୁକୂଳ ହେବା ପାଇଁ ଫ୍ଲାଇଟ ସର୍ଜନଙ୍କ ରକ୍ଷଣାବେକ୍ଷଣରେ ୭ ଦିନର ପୁନଃଥଇଥାନରେ ରହିବେ । ଇସ୍ରୋ ଶୁକ୍ଳାଙ୍କ ଆଇଏସଏସ ଯାତ୍ରା ପାଇଁ ପାଖାପାଖି ୫୫୦ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହା ଇସ୍ରୋର ଗଗନଯାନ ମିଶନରେ ବେଶ ସହାୟକ ହେବ । ଇସ୍ରୋ ଅନୁଯାୟୀ, ଶୁଭାଂଶୁ ଶୁକ୍ଳାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି ଏବଂ ତାଙ୍କ ମନୋବଳ ଉଚ୍ଚ ରହିଛି ।
ଏହି ମିଶନରେ ଶୁଭାଂଶୁ ମାଇକ୍ରୋଏଲଗି ପ୍ରୟୋଗ ଉପରେ କାମ କରିଛନ୍ତି । ଏହା ଭବିଷ୍ୟତରେ ମହାକାଶ ମିଶନ ପାଇଁ ଭୋଜନ, ଅକ୍ସିଜେନ ଓ ବାୟୋଫୁଏଲ ପ୍ରଦାନ କରିପାରେ । ଏହା ବ୍ୟତୀତ ସେ ଅନ୍ତରୀକ୍ଷରେ ଆଖିର ଗତି, ସମନ୍ୱୟ ଓ ମସ୍ତିଷ୍କର ଗତିବିଧି ସମ୍ବନ୍ଧିତ ଅନେକ ଅଧ୍ୟୟନର ଅଂଶ ବିଶେଷ ରହିଛନ୍ତି । ଏହି ଅଧ୍ୟୟନରେ ମହାକାଚାରୀଙ୍କ ପରିବେଶ ସହ ତାଳମେଳ, ମସ୍ତିଷ୍କର ରକ୍ତ ପ୍ରବାହ ଓ ବିକିରଣ ବିପଦର ନିରୀକ୍ଷଣ ଆଦି ସାମିଲ ।