ରାୟପୁର: ଧିରେ ଧିରେ ଦୁର୍ବଳ ହେଉଛି ଲାଲ ଗଡ଼ । ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ବହୁ ସଂଖ୍ୟାରେ ମାଓବାଦୀ । ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଏକକାଳୀନ ୨୨ ଜଣ ମାଓବାଦୀ ଶୁକ୍ରବାର ଆତ୍ମସମର୍ପଣ କରିଛନ୍ତି । ସମସ୍ତଙ୍କ ମୁଣ୍ଡ ଉପରେ ମୋଟ ୩୭.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସମସ୍ତେ କୁଟୁଲ, ନେଲନାର ଏବଂ ଇନ୍ଦ୍ରାବତୀ ଅଞ୍ଚଳରେ ସକ୍ରିୟ ଥିଲେ ବୋଲି ନାରାୟଣପୁର ଏସପି ରବିନସନ ଗୁରିଆ ସୂଚନା ଦେଇଛନ୍ତି ।
ଏମାନଙ୍କ ମଧ୍ୟରେ ୮ ଜଣ ମହିଳା କ୍ୟାଡର୍ ମାଓବାଦୀ ରହିଛନ୍ତି । ଏଥିରେ କୁଟୁଲ ଏରିଆ କମିଟି ମାଓ କମାଣ୍ଡର ସୁଖଲାଲ କୁଞ୍ଜମ ରହିଛି, ତା ନାଁରେ ୮ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା । ସୁଖଲାଲର ପତ୍ନୀ ମଧ୍ୟ ମାଓ ସଂଗଠନରେ ବେଶ ସକ୍ରିୟ ଥିଲା । ସେହିପରି ଏସିଏମ୍ ସଦସ୍ୟ ହିଡମେ କୁଞ୍ଜମ ଏବଂ ପୁନ୍ନା ଲାଲ୍ ଓରଫ୍ ସାଣ୍ଟୁ ଓୟାମ୍ ମୁଣ୍ଡରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା ।
ନାରାୟଣପୁର ଜିଲ୍ଲା ପୋଲିସ, ଆଇଟିବିପି, ବିଏସଏଫ୍ ଏବଂ ଏସଟିଏଫ୍ ଦ୍ୱାରା ଏକ ମିଳିତ ତଲାସୀ ଅଭିଯାନ କରାଯାଇଥିଲା । ଯେଉଁଥିରେ ଉପରୋକ୍ତ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ସରକାର ଯୋଜନା ମୁତାବକ ସମସ୍ତଙ୍କୁ ୫୦, ୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ନାରାୟଣପୁର ଏସପି ରବିନସନ ଗୁରିଆ କହିଛନ୍ତି ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ ମାଓବାଦୀମାନେ ବର୍ତ୍ତମାନ ବନ୍ଧୁକ ଉପରେ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଚଳିତ ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି ।
ସେହିପରି ଏସପି ରବିନସନ ଗୁରିଆ କହିଛନ୍ତି ଯେ ମାର୍ଚ୍ଚ ବଚାଅ ଅଭିଯାନରେ ମୋଟ ୧୩୨ ଜଣ ମାଓବାଦୀ ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।