ହାପୁର: ଉତ୍ତର ପ୍ରଦେଶ ସମେତ ପୂରା ଦେଶରେ ବର୍ଷା ଜାରି ରହିଛି। ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ ଜନସାଧାରଣଙ୍କର ସମସ୍ୟା ବଢ଼ାଇଛି। ହାପୁର ଜିଲ୍ଲାରେ ମଧ୍ୟ ବର୍ଷା ତାଣ୍ଡବ ରଚିଛି। ବର୍ଷା ଯୋଗୁଁ ପିଲଖୁୱା କୋତୱାଲି ଅଞ୍ଚଳର ରଘୁନାଥପୁର ଖେଡା ଗାଁରେ ଏକ କଚ୍ଚା ଘରର ଛାତ ଭୁଶୁଡ଼ି ପଡ଼ିଛି। ଘରର ଛାତ ଭୁଶୁଡ଼ି ପଡ଼ିବାରୁ ସାତ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ୧୩ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକର ନାମ ମୟଙ୍କ। ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ କୌଣସି ଅଧିକାରୀ ଘଟଣାସ୍ଥଳରେ ଠିକ୍ ସମୟ ମଧ୍ୟରେ ପହଞ୍ଚି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ମଧ୍ୟ ଉତ୍ତର ପ୍ରଦେଶର ହାପୁର ଏବଂ ବଦାଉନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡ଼ି ପଡ଼ିବା ଘଟଣାରେ ଦୁଇ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଜଣ ଆହତ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ହାପୁର ଜିଲ୍ଲାର ଥାନା ଧୌଲାନା ଅଞ୍ଚଳର ଶୌଲାନା ଗ୍ରାମର ବାସିନ୍ଦା ରହମୁଦ୍ଦିନଙ୍କ ଘରର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଘଟଣାର ସୂଚନା ପାଇବା ମାତ୍ରେ ଲୋକମାନେ ଭଗ୍ନାବଶେଷ ତଳେ ଚାପି ହୋଇଥିବା ପିଲାମାନଙ୍କୁ ବାହାର କରି ଧୌଲାନାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପୋଲିସ ସର୍କଲ୍ ଅଫିସର (ସିଓ) ବରୁଣ ମିଶ୍ର କହିଛନ୍ତି ଯେ ହସ୍ପିଟାଲର ଡାକ୍ତର ଦୁଇ ଭଉଣୀ ମାହିରା ଏବଂ ଖୁସିଙ୍କୁ ମୃତ ଘୋଷଣା କରିଛନ୍ତି, ଯେତେବେଳେ ତିନି ଶିଶୁ ମାହିମ, ଆଫିୟା ଏବଂ ମୁସ୍କାନ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ, ବଦାଉନର ବିସୌଲି ତହସିଲର ଥାନା ଫୈଜଗଞ୍ଜ ବେହତା ଅଞ୍ଚଳର ଖଡ଼ଗପୁର ଗାଁରେ ଲଗାତାର ପ୍ରବଳ ବର୍ଷା ସମୟରେ ଗଟର-ପାଟିରେ ତିଆରି ଏକ ପୁରୁଣା ଘରର ଛାତ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ପ୍ରାୟ ୬୩ବର୍ଷ ବୟସ୍କା ଜଣେ ବୃଦ୍ଧା ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଚାରି ମହଲା କୋଠା ଭୁଶୁଡ଼ିଲା