କୋଲକାତା: ପୁଣି ଲଜ୍ଜିତ ପଶ୍ଚିମବଙ୍ଗ । ଗତ କିଛି ମାସ ହେବ ଏହି ରାଜ୍ୟରୁ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମର ଖବର ସାମ୍ନାକୁ ଆସୁଛି । ଦକ୍ଷିଣ କୋଲକାତା ଆଇନ ମହାବିଦ୍ୟାଳୟର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କେସର ତଦନ୍ତ ଚାଲିଥିବା ବେଳେ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗର ଭାରତୀୟ ପ୍ରବନ୍ଧନ ସଂସ୍ଥା କୋଲକାତା(ଆଇଆଇଏମ-ସି)ରେ ପଢୁଥିବା ଜଣେ ଛାତ୍ରୀ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି । ଶୁକ୍ରବାର କ୍ୟାମ୍ପସ ପରିସରରେ ତାଙ୍କର ଜଣେ ସହପାଠୀ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ସେ ହରିଦେବପୁର ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁୁଜୁ କରି ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।
ପୋଲିସ ଅନୁଯାୟୀ, ପୀଡିତା ଏବଂ ବେଙ୍ଗାଲୁରୁର ବାସିନ୍ଦା ଅଭିଯୁକ୍ତ ପରମାନନ୍ଦ ଟୋପ୍ପାଉନବାର ଆଇଆଇଏମର ଦ୍ୱିତୀୟ ବର୍ଷ ଛାତ୍ର-ଛାତ୍ରୀ । ଦୁହେଁ ପରସ୍ପରକୁ ବେଶ ଭଲ ଭାବେ ଜାଣିଥିଲେ । ଦୁହିଁଙ୍କ ସାକ୍ଷାତ ପ୍ରଥମେ ଅନଲାଇନ ମାଧ୍ୟମରେ ହୋଇଥିଲା ଏବଂ ପରେ ପଠାପଢା ଓ କ୍ୟାରିୟକୁ ନେଇ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା ।
ଶୁକ୍ରବାର ଅଭିଯୁକ୍ତ ଜଣକ କାଉନସେଲିଂ ଷ୍ଟେସନରେ ସହଯୋଗ କରିବା କହି ଯୁବତୀଙ୍କୁ କ୍ୟାମ୍ପସକୁ ଡକାଇଥିଲା । ପୀଡିତା ଥାନାରେ କହିଛନ୍ତି, ଯେତେବେଳେ ସେ କ୍ୟାମ୍ପସରେ ପହଞ୍ଚିଥିଲେ ତାଙ୍କୁ ଭିଜିଟର ଜେଜିଷ୍ଟରରେ ନାଁ ଲେଖିବାକୁ ମନା କରାଯାଇଥିଲା । ଏହା ସତ୍ତ୍ୱେ ବି ସେ ଅଭିଯୁକ୍ତ ଛାତ୍ରଙ୍କ ଉପରେ ଭରସା କରି କ୍ୟାମ୍ପସ ଭିତରକୁ ଯାଇଥିଲେ ।
ଅଭିଯୁକ୍ତ ଜଣକ କାମର ବାହାନ ବତାଇ ଯୁବତୀଙ୍କୁ ବୟଜ ହୋଷ୍ଟେଲ ନେଇ ଯାଇଥିଲା । ସେଠାରେ ପିଜା ଓ ଏକ ପାନୀୟ ଜଳ ଦେଇଥଲା । ଯୁବତୀ କହିଛନ୍ତି, ସେ ଉକ୍ତ ପାନୀୟ ଜଳ ପିଇବା ପରେ ତାଙ୍କ ମୁଣ୍ଡ ଘୁରେଇଥିଲା । ସେ ୱାଶରୁମକୁ ଯିବାକୁ ଚାହୁଁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥିଲା । ସେ ଏହାର ବିରୋଧ କରିବାରୁ ଅଭିଯୁକ୍ତ ମାଡ ମାରିବା ପରେ ତାଙ୍କୁ ଦୁଷ୍କର୍ମ କରିଥିଲା ।
ପୀଡିତା ପୋଲିସକୁ ଜଣାଇଛନ୍ତି ଯେ, କିଛି ସମୟ ସେ ଅର୍ଦ୍ଧ ବେହୋସ ଅବସ୍ଥାରେ ରହିଥିଲେ ଏବଂ ପୁଣି ଚେତା ହରାଇଥିଲେ । ସନ୍ଧ୍ୟାରେ ଯେବେ ତାଙ୍କୁ ଚେତା ଫେରିଲା ସେ ନିଜକୁ ବୟଜ ହୋଷ୍ଟେଲ ରୁମରେ ପାଇଥିଲେ । ଏହା ପରେ ସେ କୌଣସି ଜଣେ ସାଙ୍ଗକୁ ଫୋନ କରି କୌଣସି ପ୍ରକାରରେ ବୟଜ ହୋଷ୍ଟେଲରୁ ବାହାରି ସିଧାସଳଖ ଥାନାରେ ପହଞ୍ଚିଥିଲେ ।
ପୀଡିତା ପ୍ରଥମେ ଠାକୁରପୁକୁର ଥାନା ଏବଂ ପୁଣି ହରିଦେବପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଭାରତୀୟ ନ୍ୟାୟ ସହିଂତା ଆଧାରରେ ଧାରା ୬୪(ଦୁଷ୍କର୍ମ) ଓ ୧୨୩(ଜାଣିଶୁଣି ପାନୀୟ ଜଳରେ ହାନୀକାରକ ପଦାର୍ଥ ମିଶାଇବା) ଆଧାରରେ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରି ପୋଲିସ ପଚରା ଉଚୁରା କରୁଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ବହୁତ ଗମ୍ଭୀର । ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଉଛି । ଆମେ ଡିଜିଟାଲ୍ ଫୁଟେଜ, ହୋଷ୍ଟେଲ ଏଣ୍ଟ୍ରି ଓ ରେକର୍ଡର ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରା ଉଚୁରା କରୁଛୁ । ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ କରାଯାଉଛି ।