ରାୟପୁର: ଦୁର୍ବଳ ହେଉଛି ଲାଲଗଡ଼ । ଗତ ୨୪ ଘଣ୍ଟାରେ ଛତିଶଗଡ଼ ବିଭିନ୍ନ ମାଓ ପ୍ରବଣ ଜିଲ୍ଲାରେ ୪୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଶନିବାର ପୁଣି ୨୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୁକୁମା, ବସ୍ତର ଏବଂ ନାରାୟଣପୁର ଜିଲ୍ଲାରେ ମାଓବାଦୀ ମାନେ ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣ ମହିଳା କ୍ୟାଡର୍ ମାଓବାଦୀ ରହିଛନ୍ତି । ସମସ୍ତଙ୍କ ମୁଣ୍ଡରେ ମୋଟ ୧.୧୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏ ନେଇ ସୁକୁମା ଏସପି କିରଣ ଚବନ୍ ସୂଚନା ଦେଇଛନ୍ତି ।
ଆଜି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୧୧ ଜଣ ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି (ପିଏଲଜିଏ)ର ସଦସ୍ୟ ଥିଲେ । ଯାହାକି ସବୁଠାରୁ ଶକ୍ତିଶାଳୀ ମାଓ ସଂଗଠନ ନାମରେ ପରିଚିତ । ଲୋକେଶ ଓରଫ୍ ପୋଡ଼ିଆମ୍ ଭୀମା (୩୫), ରମେଶ ଓରଫ୍ କଲମୁ କେସା (୨୩), କୱାସୀ ମାସା (୩୫), ମଡ଼କମ୍ ହୁଙ୍ଗା (୨୩), ନୁପ୍ପୁ ଗାଙ୍ଗୀ (୨୮), ପୁନେମ ଦେବେ (୩୦), ପରକାଶି ପାଣ୍ଡେ (୨୨), ମାଧବୀ ଜୋଗା (୨୦), ନୁପ୍ପୁ ଲଛୁ (୨୫), ପୋଡ଼ିଅମ ସୁଖରାମ (୨୪) ଏବଂ ଦୁଧୀ ଭୀମା । ସମସ୍ତଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା । ସେହିପରି ଅନ୍ୟ ୪ ଜଣଙ୍କ ନାମରେ ୫ ଲକ୍ଷ ଲେଖାଏଁ, ଜଣଙ୍କ ନାଁରେ ୩ ଲକ୍ଷ ଏବଂ ଅନ୍ୟ ୭ ଜଣଙ୍କ ନାଁରେ ୧ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ । ଏମାନେ ଆମଡାଇ, ଜଗରଗୁଣ୍ଡା ଏବଂ କେର୍ଲାପାଲ ଏରିଆ କମିଟିରେ ସକ୍ରିୟ ଥିଲେ ।
ଆତ୍ମ ସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୫୦, ୦୦୦ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହିତ ଆଗାମୀ ଦିନରେ ବାସଗୃହର ମଧ୍ୟ ବନ୍ଦୋବସ୍ତ କରାଯିବ ବୋଲି ଏସପି କହିଛନ୍ତି ।
ପ୍ରକାଶ ଥାଉକି, ଶୁକ୍ରବାର ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଏକକାଳୀନ ୨୨ ଜଣ ମାଓବାଦୀ ଶୁକ୍ରବାର ଆତ୍ମସମର୍ପଣ କରିଛନ୍ତି । ସମସ୍ତଙ୍କ ମୁଣ୍ଡ ଉପରେ ମୋଟ ୩୭.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସମସ୍ତେ କୁଟୁଲ, ନେଲନାର ଏବଂ ଇନ୍ଦ୍ରାବତୀ ଅଞ୍ଚଳରେ ସକ୍ରିୟ ଥିଲେ ବୋଲି ନାରାୟଣପୁର ଏସପି ରବିନସନ ଗୁରିଆ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ୮ ଜଣ ମହିଳା କ୍ୟାଡର୍ ମାଓବାଦୀ ରହିଛନ୍ତି । ଏଥିରେ କୁଟୁଲ ଏରିଆ କମିଟି ମାଓ କମାଣ୍ଡର ସୁଖଲାଲ କୁଞ୍ଜମ ରହିଛି, ତା ନାଁରେ ୮ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା । ସୁଖଲାଲର ପତ୍ନୀ ମଧ୍ୟ ମାଓ ସଂଗଠନରେ ବେଶ ସକ୍ରିୟ ଥିଲା । ସେହିପରି ଏସିଏମ୍ ସଦସ୍ୟ ହିଡମେ କୁଞ୍ଜମ ଏବଂ ପୁନ୍ନା ଲାଲ୍ ଓରଫ୍ ସାଣ୍ଟୁ ଓୟାମ୍ ମୁଣ୍ଡରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା ।