ଲର୍ଡ୍ସ: ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଦିନର ଖେଳରେ ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ଚମକିଛନ୍ତି । ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍ ହରାଇ ୨୫୧ ରନ କରିଛି । ଜୋ ରୁଟ୍ ୯୯ ରନ କରି ଶତକର ଦ୍ୱାର ଦେଶରେ ଥିବା ବେଳେ ଅଧିନାୟକ ବେନ ଷ୍ଟୋକ୍ସ ୩୯ ରନ କରି ଖେଳୁଛନ୍ତି । ତେବେ ଇଂଲଣ୍ଡକୁ ରନ କରିବା ପାଇଁ ସଂଘର୍ଷ କରିବାକୁ ପଡିଛି । ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ୨ଟି ୱିକେଟ୍ ଅକ୍ତିକାର କରିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଘରୋଇ ଦଳ । ଦୁଇ ଓପନର ବେନ ଡକେଟ୍ ଓ ଜ୍ୟାକ କ୍ରାଉଲି ପ୍ରଥମ ୱିକେଟ ଭାଗିଦାରୀରେ ୪୩ ରନ ଯୋଡିଥିଲେ । ୧୪ ତମ ଓଭର ବୋଲିଂ କରିଥିବା ନୀତିଶ ରେଡ୍ଡୀ ଉକ୍ତ ଓଭରରେ ଡକେଟ୍(୨୩ ରନ) ଓ ଜ୍ୟାକ କ୍ରାଉଲି(୧୮ ରନ)ଙ୍କୁ ଆଉଟ୍ କରି ଭାରତକୁ ଦୁଇଟି ସଫଳତା ଦେଇଥିଲେ । ତେବେ ଜୋ ରୁଟ୍ ଓ ଓଲି ପୋପ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ଇନିଂସ ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ ପାଇଁ ୧୦୯ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ । କ୍ରିଜରେ ଜମି ଆସିଥିବା ଓଲି ପପ୍ ୪୪ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ୍ ହୋଇଥିଲେ । ଇନଫର୍ମ ବ୍ୟାଟର ହ୍ୟାରୀ ବ୍ରୁକ(୧୧)ଙ୍କୁ ବୋଲ୍ଡ କରିଥିଲେ ଯଶପ୍ରୀତ ବୁମରା ।
୧୭୨ ରନରେ ୪ ୱିକେଟ୍ ହରାଇ ଚାପରେ ଥିବା ଇଂଲଣ୍ଡକୁ ଭାଙ୍ଗିବାକୁ ଦେଇ ନ ଥିଲେ ଜୋ ରୁଟ୍ ଓ ଅଧିନାୟକ ବେନ ଷ୍ଟୋକ୍ସ । ଉଭୟ ବହୁତ ସତର୍କତାର ସହ ବ୍ୟାଟିଂ କରି ଦଳକୁ ପ୍ରଥମ ଦିନରେ ଆଉ କ୍ଷତି ହେବାକୁ ଦେଇ ନାହାନ୍ତି । ରୁଟ୍ ଅର୍ଦ୍ଧଶତକ ହାସଲ କରି ଶତକର ଦ୍ୱାର ଦେଶରେ ପହଞ୍ଚି ଯାଇଛନ୍ତି । ସେ ୯୯ ରନ କରି ଖେଳୁଥିବା ବେଳେ ଷ୍ଟୋକ୍ସ ୩୯ ରନ କରି ଅପରାଜିତ ଅଛନ୍ତି । ଦୁଇ ବ୍ୟାଟର ଅବିଭାଜିତ ପଞ୍ଚମ ୱିକେଟ ପାଇଁ ୭୯ ରନ ଯୋଡିଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୪ ୱିକେଟ ହରାଇ ୨୫୧ ରନ କରିଛି । ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ୨ଟି ୱିକେଟ ହାସଲ କରିଥିବା ବେଳେ ବୁମରା ଓ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।