ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଋଷଭ ପନ୍ତ ବାମହାତର ଆଙ୍ଗୁଠିରେ ଲାଗିଥିବା ଆଘାତରୁ ସୁସ୍ଥ ହୋଇ ପାରି ନାହାନ୍ତି । ତେଣୁ ସେ ତୃତୀୟ ଟେଷ୍ଟର ଇଂଲଣ୍ଡର ପ୍ରଥମ ଇନିଂସରେ ଆଉ ୱିକେଟ୍ କିିପିଂ କରିବେ ନାହିଁ । ଗୁରୁବାର ଇଂଲଣ୍ଡର ୩୪ତମ ଓଭରରେ ବୁମରାଙ୍କ ବଲକୁ ଲେଗ୍ ସାଇଡରେ ରୋକିବା ପାଇଁ ଡ୍ରାଇଭ ମାରିବା ସମୟରେ ପନ୍ତଙ୍କୁ ଆଘାତ ଲାଗିଥିଲା । ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ କରିବାକୁ ଉଦ୍ୟମ କରିଥିଲେ ହେଁ ନିଜକୁ ସଂପୂର୍ଣ୍ଣ ଫିଟ୍ ମଣି ନ ଥିଲେ ।
ପ୍ରଥମ ଦିନ ଆଘାତ ଲାଗିବା ପରେ ମଇଦାନରେ ପନ୍ତଙ୍କ ଉପଚାର କରାଯାଇଥିଲା । ହେଲେ ଏଥିରେ କୌଣସି ଫାଇଦା ମିଳି ନ ଥିଲା । ଶେଷରେ ସେ ପଡିଆ ବାହାରକୁ ଚାଲି ଯାଇଥିଲେ । ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ୱିକେଟ୍ କିପିଂ ଦାୟିତ୍ୱ ସମ୍ଭାଳିଥିଲେ । ବିସିସିଆଇ ନିଜର ପ୍ରେସ ବିବୃତିରେ କହିଛି ଯେ, ପନ୍ତ ନିଜର ବାମ ହାତର ଆଙ୍ଗୁଳି ଲାଗିଥିବା ଆଘାତରୁ ସୁସ୍ଥ ହୋଇ ପାରି ନାହାନ୍ତି । ତେଣୁ ଦ୍ୱିତୀୟ ଦିନରେ ଧ୍ରୁବ ଜୁରେଲ ୱିକେଟ୍ କିପିଂ ଜାରି ରଖିବେ ।
ତେବେ ପନ୍ତ ଭାରତର ବ୍ୟାଟିଂ ସମୟରେ ବ୍ୟାଟିଂ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଯଦି ପନ୍ତ ସଂପୂର୍ଣ୍ଣ ଫିଟ୍ ନ ହୁଅନ୍ତି ତେବେ ଭାରତ ପାଇଁ ବଡ ଝଟକା ହୋଇପାରେ । କାରଣ ପନ୍ତ ସଂପ୍ରତି ଦମଦାର ଫର୍ମରେ ଅଛନ୍ତି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ମାରି ସେ ଇତିହାସ ରଚିଥିଲେ । ଦ୍ୱିତୀୟ ଟେଷ୍ଟରେ ବି ପ୍ରଭାବଶାଳୀ ବ୍ୟାଟିଂ କରିଥିଲେ । ତେବେ ପନ୍ତଙ୍କ ଭାରତୀୟ ଇନିଂସରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି ।